ଲୋପ ପାଇବାକୁ ବସିଲାଣି ଦଶପଲ୍ଲାର ବାଉଁଶ ବଣ !
■ ବାଉଁଶ ବଣର ରକ୍ଷଣାବେକ୍ଷଣ ପାଇଁ ନାହିଁ ଆନ୍ତରିକତା !
■ ଧ୍ବଂସ ପାଉଛି ବାଉଁଶ ଜଙ୍ଗଲ !
■ ବାହାରକୁ ଆରମ୍ଭ ହେଲାଣି କରିଡ ଚୋରା ଚାଲାଣ!
■ ୪୦ରୁ ୬୦ ଟଙ୍କାରେ ବିକ୍ରୟ ହେଉଛି କରିଡ଼ !
ଦଶପଲ୍ଲା : 18/06/2022(ରିପୋର୍ଟ : ସୁବାଷ ଚନ୍ଦ୍ର ବାରିକ): ସହର ବଜାର ହେଉକି ଗାଁ ଗହଳି , ସବୁ ସ୍ଥାନରେ ଖୋଲାଖୋଲି ବିକ୍ରୟ ହେଉଛି ବାଉଁଶ ଗଜା ବା କରିଡ଼ । ଯାହାର ମୂଲ୍ୟ କିଗ୍ରା ପ୍ରତି ୪୦ରୁ ୬୦ ଟଙ୍କା ରହିଛି । ଖାଲି ବଜାର ନୁହେଁ , କୁଇଣ୍ଟାଲ କୁଇଣ୍ଟାଲ କରିଡକୁ ବନବିଭାଗର କିଛି ତଳିଆ କର୍ମଚାରୀଙ୍କୁ ହାତଗୁଂଜା ଦେଇ , ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି ସ୍ଥାନୀୟ ଅଂଚଳର କିଛି ଜଂଗଲ ମାଫିଆ ।
ମୁଖ୍ୟତଃ ଦେଖିବାକୁ ଗଲେ ବାଉଁଶ ଜଙ୍ଗଲର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ସରକାର ରାଜକୋଷରୁ କୋଟି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିକାଶ ହୋଇ ପାରୁନି ବାଉଁଶ ଜଙ୍ଗଲ । ଖାଲି ମୂଲ୍ୟବାନ କାଠ ନୁହେଁ , ଦିନେ ବାଉଁଶ ପାଇଁ ଦଶପଲ୍ଲା ଜଙ୍ଗଲ ରାଜ୍ୟରେ ବେଶ୍ ଆଦୃତି ଲାଭ କରିଥିଲା । ଏହି ଜଙ୍ଗଲରୁ ମଧ୍ୟ ପ୍ରତିବର୍ଷ ସରକାର ସିଂହଭାଗ ରାଜସ୍ୱ ଆଦାୟ କରୁଥିଲେ । ଜଙ୍ଗଲରେ ଏତେ ମାତ୍ରାରେ ବାଉଁଶ ଭରପୁର ରହିଥିଲା , ଯାହାକି ଏଠାରେ ଏକ କାଗଜ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି ଉଠିଥିଲା । ହେଲେ ଏବେ ଏହି ଜଙ୍ଗଲ ଧ୍ବଂସ ହେବାକୁ ବସିଲାଣି ।
ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ସାଙ୍ଗକୁ ଗ୍ରୀଷ୍ମ ଦିନେ ଜଙ୍ଗଲ ନିଆଁ ପାଇଁ ବହୁ ବାଉଁଶ ଜଙ୍ଗଲ ଛାରଖାର୍ ହେଲାଣି । ବିଶେଷକରି ବର୍ଷା ଋତୁରେ ବାଉଁଶ ମୂଳରୁ ନୂତନ ଗଜା ସୃଷ୍ଟି ହୋଇଥାଏ । ହେଲେ ଏହି ଗଜା ବୃଦ୍ଧି ପାଇବା ପୂର୍ବରୁ ଏହାକୁ କଟାଯାଇ କରଡି ଭାବେ ବ୍ୟବହାର କରାଯାଉଛି । ଫଳରେ ବାଉଁଶ ଜଙ୍ଗଲ ବୃଦ୍ଧି ପାଇବାରେ ଏହା ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଯାହାକି ଏବେ ବାଉଁଶ ଗଜା ଆରମ୍ଭ ହେଲାଣି । କିଛି ପରିବାର ଏହାକୁ ନିଜ ବ୍ୟବସାୟରେ ପରିଣତ କରିଦେଇଥିବା ବେଳେ କିଛି ମାଫିଆ ଲାଭଖୋର୍ ମନୋଭାବ ପାଇଁ ଏହାକୁ ଦଶପଲ୍ଲାରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି । ଯାହାକି ଏବେଠାରୁ ଏହି କରିଡ ଚୋରା ଚାଲାଣ ଆରମ୍ଭ ହୋଇଗଲାଣି । ସହରାଚଂଳରେ ଏହାର ବେଶ୍ ଚାହିଦା ରହିଥିବାରୁ ମାଫିଆ ମାନେ ଜିଲ୍ଲା ବାହାରକୁ ଚାଲାଣ କରି ଭଲ ଦି ପଇସା ରୋଜଗାର କରିବାର ପନ୍ଥା ଆପଣାଇ ନେଉଛନ୍ତି । ଆଦିବାସୀ ପ୍ରବଣ ଅଂଚଳରେ ଲୋକଙ୍କୁ ପ୍ରବର୍ତ୍ତାଇ ଜଙ୍ଗଲରୁ ବାଉଁଶ ଗଜା ସଂଗ୍ରହ କରାଯାଉଛି । ଏଥିପାଇଁ ଆଦିବାସୀ ମାନଙ୍କୁ ପାରିଶ୍ରମିକ ମିଳୁଥିବାରୁ ବହୁ ପରିବାର ମଧ୍ୟ ଏଥିରେ ସାମିଲ ହେଉଛନ୍ତି ।
ଦଶପଲ୍ଲାର ପୋଖରୀଗୋଛା , ଚଢେୟାପଲ୍ଲୀ , କଳସାଖମଣ , ନୂଆଗାଁ , ଟାକରା , ଭୋଗବାଡି , ସରିଗଣ୍ଡା , ଘୁଗୁଡିପଡା , କୁରୁରୁକୁମ୍ପା , ବାଣିଗୋଛା , କୁଢାମେଣ୍ଟି , ତେଣ୍ଡାବାଡି ପ୍ରଭୃତି ନିକଟବର୍ତ୍ତି ଜଙ୍ଗଲରୁ ଏହା ବହୁଳ ଭାବେ ସଂଗ୍ରହ କରାଯାଉଛି । ସ୍ଥାନୀୟ ଅଂଚଳରେ ଏହାର କିଗ୍ରା ପ୍ରତି ମୂଲ୍ୟ ଏବେ ୪୦ ଟଙ୍କାରୁ ୬୦ ଟଙ୍କା ରହିଥିବା ବେଳେ ଜିଲ୍ଲା ବାହାରେ ଏହାର ମୂଲ୍ୟ ଅଧିକ ରହୁଛି ।
ଏପଟେ ଦେଖିବାକୁ ଗଲେ ପ୍ରତିବର୍ଷ ବାଉଁଶ ଗଛର ରକ୍ଷଣାବେକ୍ଷଣ ପାଇଁ ଏହାର ମୂଳକୁ ସଫା କରିବା ସହ ମାଟିଦେବା କାର୍ଯ୍ୟରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର ଧର୍ମକୁ ଆଖିଠାର ନ୍ୟାୟରେ ବ୍ୟାପକ ଅର୍ଥ ବାଟମାରଣା କରି ଦିଆଯାଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ଯେଉଁଥିରେ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀଙ୍କ ସଂପୃକ୍ତି ରହୁଥିବା ବେଳେ ନାମକୁ ମାତ୍ର କେବଳ କାଗଜପତ୍ରରେ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲୁ ରହିଥିବା ଦେଖିବାକୁ ମିଳିଛି । ଏବେଠାରୁ ଏହାର ଚୋରାଚାଲାଣ ବୃଦ୍ଧିପାଇ ଚାଲିଥିବା ବେଳେ ବିଭାଗୀୟ କତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ହୋଇପଡିଛି |
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?