NK NEWS ODISHA

News agency Odisha

ବଳଭଦ୍ରପୁର- ଢ଼ିପାମାଳ ରାସ୍ତା ବିବାଦ। ଗ୍ରାମ୍ୟ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଗୁଡୁପାଙ୍ଗି ବାସିନ୍ଦା।

Spread the love

ବଳଭଦ୍ରପୁର- ଢ଼ିପାମାଳ ରାସ୍ତା ବିବାଦ।
ଗ୍ରାମ୍ୟ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ଗୁଡୁପାଙ୍ଗି ବାସିନ୍ଦା।

ନୟାଗଡ :10/07/2021(ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ): ନୟାଗଡ଼ ଜିଲ୍ଲା ,ନୂଆଗାଁ ବ୍ଲକ ମାଳିସାହି ଗ୍ରାମପଂଚାୟତ ଅନ୍ତର୍ଗତ ବଳଭଦ୍ରପୁର–ଢିପାମାଳ ରାସ୍ତା ବିବାଦକୁ ନେଇ ଗତକାଲି (ତା 09/07 ଶୁକ୍ର ବାର ଦିନ) 17 ଖଣ୍ତ ମୌଜାର ଗ୍ରାମବାସୀ ଏକାଠି ହୋଇ ଖୋର୍ଦ୍ଧା–ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଆଜି ଗୁଡୁପାଙ୍ଗି ଗ୍ରାମର ଗ୍ରାମବାସୀମାନେ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିବା ଜଣାପଡିଛି। ଜଙ୍ଗଲ ମଧ୍ୟ ଦେଇ ନୂତନ ରାସ୍ତା ନିର୍ମାଣ କରାଯିବା ଫଳରେ କାଠ ମାଫିଆ ଙ୍କ ଦ୍ଵାରା ଜଙ୍ଗଲ ଧ୍ୱଂସ ପାଇବ , ଜଙ୍ଗଲରେ ଥିବା ବନ୍ୟଜନ୍ତୁ ବିପନ୍ନ ହେବା ସହିତ,ପରିବେଶ ଓ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମାନବ ସମାଜ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଏହାର ପ୍ରଭାବ ପଡିବା ନେଇ ଗ୍ରାମବାସୀ ମାନେ ମତପ୍ରକାଶ କରିଛନ୍ତି।


ସୂଚନା ଅନୁଯାୟୀ, ବଳଭଦ୍ରପୁର–ଢିପାମାଳ ରାସ୍ତା ବିବାଦ ଯେତିକି ଦିନ ଗଡି ଗଡି ଯାଉଛି ଘଟଣା ସେତିକି ଜଟିଳ ହେବାରେ ଲାଗିଛି। ଗତ ୪ ମାସ ଧରି ଗୁଡୁପାଙ୍ଗି ଗ୍ରାମର ମୁଖ୍ୟ ରାସ୍ତା ସମେତ ବଳଭଦ୍ରପୁର ଠାରୁ ଗୁଡୁପାଙ୍ଗି ଏବଂ ଢିପାମାଳ ଠାରୁ ଗୁଡୁପାଙ୍ଗି ରାସ୍ତାକୁ 17 ଖଣ୍ତ ମୌଜାର ଗ୍ରାମବାସୀମାନେ ଅବରୋଧ କରି ରଖିଥିବା ନେଇ ଗୁଡୁପାଙ୍ଗି ଗ୍ରାମବାସୀ ଅଭିଯୋଗ କରୁଥିବାବେଳେ, ଗ୍ରାମ ପୋଖରୀ ହୁଡା ଦେଇ ଯାଇଥିବା ମାଟିରାସ୍ତା ଦେଇ ଗୁଡୁପାଙ୍ଗି ଗ୍ରାମର ଗ୍ରାମବାସୀ ମାନେ ଯିବା ଆସିବା କରୁଥିବା ନେଇ ଅଭିଯୋଗ କରିଛନ୍ତି। ଗୁଡୁପାଙ୍ଗି ଗ୍ରାମବାସୀଙ୍କ କହିବା ମୁତାବକ, ଆଜକୁ ପ୍ରାୟ 40 ବର୍ଷ ଧରି ଗୁଡୁପାଙ୍ଗି ଗ୍ରାମ ସହିତ 18 ଟି ପଂଚାୟତର 42 ଟି ଗ୍ରାମକୁ ନେଇ ଗଠିତ “ଗତିଶ୍ବର ମହାଦେବ ଜଙ୍ଗଲ ସୁରକ୍ଷା କମିଟି ” ଉକ୍ତ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଅଛି। ତେବେ ଗୋଟିଏ ପଟରେ ଗୁଡୁପାଙ୍ଗି ଗ୍ରାମର ଗ୍ରାମବାସୀମାନେ ଜଙ୍ଗଲ ତଥା ଜଙ୍ଗଲରେ ଥିବା ମୂଲ୍ୟବାନ ଗଛ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କଥା ଦୋହରାଇ ଆସୁଥିବା ବେଳେ ଅନ୍ୟ ପକ୍ଷରେ ରାସ୍ତା କାର୍ଯ୍ୟ ଶୀଘ୍ର ତ୍ବରାନ୍ବିତ କରିବା ପାଇଁ 17 ଖଣ୍ତ ମୌଜାର ଗ୍ରାମବାସୀ ମାନେ ନିଜ ଦାବି ରଖିଛନ୍ତି। ଏହି ଜଙ୍ଗଲ ଜମିରେ ରାସ୍ତା ନିର୍ମାଣକୁ ବିରୋଧ କରି ଗୁଡୁପାଙ୍ଗି ଗ୍ରାମର ଜନୈକ ବ୍ୟକ୍ତି କିଛିଦିନ ତଳେ ନ୍ୟାସନାଲ ଗ୍ରୀନ ଟ୍ର୍ୟୁବିନାଲ (ଏନଜିଟି)ରେ ମାମଲା ଦାୟର କରିବା ପରେ ଘଟଣାଟି ଆହୁରି ଜଟିଳ ରୂପ ଧାରଣ କରିଥିଲା। ଏନଜିଟି ମାମଲାର ସମାଧାନ ହେବାପରେ ରାସ୍ତା ନିର୍ମାଣ କଥା ଆଲୋଚନା କରାଯିବା ନେଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଗୋଟିଏ ପକ୍ଷରେ ବଳଭଦ୍ରପୁର ଠାରୁ ଢିପାମାଳ ପର୍ଯ୍ୟନ୍ତ ରାସ୍ତା କୌଣସି ଗ୍ରାମକୁ ସଂଯୋଗ ନକରି ରାସ୍ତା ନିର୍ମାଣ କରାଯାଇ ସମ୍ୟସାର ସମାଧାନ କରିବା ପାଇଁ ୧୭ ଖଣ୍ତ ଗ୍ରାମବାସୀଙ୍କ ପକ୍ଷରୁ ମତ ଦିଆଯାଇଥିବା ବେଳେ, ଅନ୍ୟ ପକ୍ଷରେ ସରକାରଙ୍କ ଦ୍ବାରା ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବା ବଳଭଦ୍ରପୁର ଠାରୁ ଢିପାମାଳ ଭାୟା ଗୁଡୁପାଙ୍ଗି ଦେଇ ଯାଇଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରି ଏହି ସମାସ୍ୟର ସମାଧାନ କରିବା ପାଇଁ ଗୁଡୁପାଙ୍ଗି ଗ୍ରାମବାସୀ ମାନେ ମତପ୍ରକାଶ କରିଛନ୍ତି । ତେବେ ବହୁଦିନଧରି ଲାଗି ରହିଥିବା ବିବାଦର ଅନ୍ତ କେବେ ଘଟୁଛି ତାହା ଦେଖିବାକୁ ବାକି ରହିଲା।

%d