NK NEWS ODISHA

News agency Odisha

ସ୍ୱାଧୀନତାର 74 ବର୍ଷ ପରେ ମଧ୍ୟ ବାଡ଼ିବାରି ଗାଁ’କୁ ନାହିଁ ରାସ୍ତା !

Spread the love

ସ୍ୱାଧୀନତାର 74 ବର୍ଷ ପରେ ମଧ୍ୟ ବାଡ଼ିବାରି ଗାଁ’କୁ ନାହିଁ ରାସ୍ତା !

ପୁଣି 3 କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ

ଗାଁକୁ କାଦୁଅ ରାସ୍ତା ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ

ବାଡିବାରୀ ଗ୍ରାମରେ ଅଭାବନୀୟ ଘଟଣା

ନୂଆଗାଁ : 24/07/2021(ରିପୋର୍ଟ :ନିରଞ୍ଜନ ସାହୁ): ସ୍ବାଧିନତାର 74ବର୍ଷ ପରେ ମଧ୍ୟ ବାଡିବାରୀ ଗାଁକୁ ହୋଇପାରିଲାନି ରାସ୍ତା ନିର୍ମାଣ। ଆଜି ପର୍ଯ୍ୟନ୍ତ ଖଟିଆରେ ରୋଗୀ ବୁହା ହେଉଥିବା ବେଳେ ଜରୁରୀକାଳୀନ ସେବାରୁ ଗ୍ରାମବାସୀମାନେ ବଂଚିତ ଥିବା ଦେଖିବାକୁ ମିଳିଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ପ୍ରଶାସନର ନୀରବତା ଯୋଗୁଁ ଅକାରଣରେ ଚାଲିଯାଉଛି ମୂଲ୍ୟବାନ ଜୀବନ ।

ସୂଚନା ଅନୁସାରେ , ନୂଆଗାଁ ବ୍ଲକ ଜାକେଡା ଗ୍ରାମପଂଚାୟତ ଏକ ଆଦିବାସୀ ବହୁଳ ହୋଇଥିବା ବେଳେ ଏଠାରେ 24 ଗୋଟି ରାଜସ୍ବ ଗ୍ରାମ ରହିଅଛି। ଏହି ଗ୍ରାମ ଗୁଡିକ ମଧ୍ୟରୁ ପାଂଚ ଛଅଟି ଗ୍ରାମକୁ ଛାଡିଦେଲେ ଅନ୍ୟ ଗ୍ରାମ ଗୁଡିକରେ ଆମ୍ବୁଲାନ୍ସ, ଅଗ୍ନିଶମ ଓ ପୋଲିସ ଗାଡିକୁ ଆଜି ପର୍ଯ୍ୟନ୍ତ ଗ୍ରାମର ଲୋକମାନେ ଦେଖିନାହାଁନ୍ତି। କିଛି ହାତ ଗଣତି ଗ୍ରାମରେ ମୋବାଇଲ ସେବା ଆସୁଥିବା ବେଳେ ଅନ୍ୟ ଗ୍ରାମର ଲୋକମାନେ ମୋବାଇଲ କଣ ମଧ୍ୟ ଜାଣିନାହାଁନ୍ତି। ଏଭଳି ପରିସ୍ଥିତିରେ ଜାକେଡା ଗ୍ରାମପଂଚାୟତ ବାଡିବାରୀ ଗ୍ରାମର ଶୁକ୍ର ମଳିକଙ୍କ ପୁଅ ବଳରାମ ମଳିକ ଆଜି ସକାଳ ୧୦ ଘଟିକା ସମୟରେ କୌଣସି କାରଣରୁ ଛାତ ଉପରକୁ ଯାଇଥିଲେ । ସେଠାରେ ତାଙ୍କର ମୁଣ୍ତ ଘୂରାଇ ନେବାରୁ ଛାତରୁ ତଳକୁ ଖସି ପଡିଥିବା ବେଳେ ତା ଶରୀରରେ ଗଭୀର ଆଘାତ ଲାଗିଥିଲା। ଏଭଳି ଅଭାବନୀୟ ଘଟଣା ଘଟିବା ପରେ ସେହି ଗ୍ରାମର ଜଣେ ଶିକ୍ଷିତ ଆଦିବାସୀ ଯୁବକ ତ୍ରିନାଥ ମଳିକ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ସେବା ତରଫରୁ ଯେଉଁ ଉତ୍ତର ପାଇଥିଲେ ସେଥିରେ ତାଙ୍କ ମୁଣ୍ତ କାମ କରିନଥିଲା। ସେ କହିଥିଲେ ଯେ, ତୁମ ଗ୍ରାମକୁ ଭଲ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯାଇପାରିବ ନାହିଁ।


ଏହା ଶୁଣିବା ପରେ ବିଳମ୍ବ ନକରି ଗ୍ରାମବାସୀଙ୍କ ସହଯାଗରେ ଏକ ଖଟିଆ ଯୋଗେ ବଳରାମଙ୍କୁ ଶିମିଳିସାହି ପର୍ଯ୍ୟନ୍ତ ଆଣି ସେଠାରୁ ଅଟୋରେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ବଳରାମଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ଆମ୍ବୁଲାନ୍ସ ଉପସ୍ଥିତ ନଥିବା ହେତୁ ଗଣିଆରୁ ଆମ୍ବୁଲାନ୍ସ ଆସି ନୟାଗଡ ନିଆଯାଇଥିଲା। ବର୍ତମାନ ସମୟରେ ବଳରାମ ସେଠାରେ ରହି ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

କେବଳ ସେତିକି କଥା ନୁହେଁ ଏହି ରାସ୍ତା ଦେଇ ବାଡିବାରୀ ଗ୍ରାମବାସୀଙ୍କ ସମେତ ଲୁଣି, ତୁକୁଡା, ଜିରି, ବାଗିଆମ୍ବା ଗ୍ରାମର 500 ରୁ ଉର୍ଦ୍ଦ୍ବ ଗ୍ରାମବାସୀ ଯାତାୟତ କରିଥାନ୍ତି। ଏହି ରାସ୍ତାରେ ବାଡିବାରୀ ଗ୍ରାମ ସର୍ବପ୍ରଥମେ ପଡୁଥିବା ବେଳେ ଏହି ଗ୍ରାମର ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ପହଂଚି ପାରୁନାହିଁ ତେବେ ବାକି ଚାରିଗୋଟି ଗ୍ରାମର ରୋଗୀମାନେ କିଭଳି ଅବସ୍ଥା ଭୋଗୁଥିବେ ତାହା ଏଥିରୁ ଅନୁମେୟ। ଜାକେଡା ଗ୍ରାମପଂଚାୟତର ଏହି 5ଟି ଗ୍ରାମକୁ କେବେ ରାସ୍ତା ନିର୍ମାଣ ହେବା ସହ ଗ୍ରାମରେ ଜରୁରୀକାଳୀନ ସେବା ପହଂଚି ପାରିବ ତାହା ଦେଖିବାକୁ ବାକି ରହିଲା। ତେବେ ଏନେଇ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଗ୍ରାମକୁ କିଭଳି ରାସ୍ତା ନିର୍ମାଣ କରାଯାଇପାରିବ ସେ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ।

%d