ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୩ ତମ ବାର୍ଷିକ ଉତ୍ସବ ପାଳିତ
ଗଣିଆରେ ଥିବା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ସଭାପତି ଆନନ୍ଦ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସରପଞ୍ଚ ସୁକାନ୍ତ କୁମାର ଗଣ୍ଠିଆ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଦେବୀ ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହିତ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟ ପରିସରରେ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ତରଫରୁ ପାନୀୟ ଜଳ ଯୋଗାଇ ଦିଆଯାଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଅଧ୍ୟକ୍ଷ । ବିଦ୍ୟାଳୟ ପଛପାଖ ପାଚେରୀ, ସାଂସ୍କୃତିକ ମଣ୍ଡପ,ସୁଲଭ ଶୈଚାଳୟ ନିର୍ମାଣ କରିବାକୁ ଅଧ୍ୟକ୍ଷ ଅତିଥି ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଦୀର୍ଘ ୩୩ ବର୍ଷ ଧରି ଉକ୍ତ ଅନୁଷ୍ଠାନ ଗଣିଆରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଅନେକ କୃତି ଛାତ୍ର ଛାତ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟତା ହାସଲ କରାଥିବାରୁ ଅନୁଷ୍ଠାନର ଅଧ୍ୟକ୍ଷ ତଥା ଶିକ୍ଷକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା । ବିଦ୍ୟାଳୟରେ ଥିବା ସମସ୍ୟା ଗୁଡିକ ଖୁବ୍ ଶିଘ୍ର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ପାଠପଢାକୁ ବିଶେଷ ଗୁରୁତ୍ବ ଦେଇ ବ୍ଳକ ତଥା ଜିଲ୍ଲାର ଟେକ ରଖିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ବାର୍ଷିକ କ୍ରିଡା ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ ସଭାପତି ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।