କାର୍ତ୍ତିକପୂର୍ଣ୍ଣିମାକୁ କାହିଁକି ରାସ ପୂର୍ଣ୍ଣିମା ବୋଲି କୁହାଯାଏ ?

କାର୍ତ୍ତିକପୂର୍ଣ୍ଣିମାକୁ କାହିଁକି ରାସ ପୂର୍ଣ୍ଣିମା ବୋଲି କୁହାଯାଏ ?

କାର୍ତ୍ତିକପୂର୍ଣ୍ଣିମାକୁ କାହିଁକି ରାସ ପୂର୍ଣ୍ଣିମା ବୋଲି କୁହାଯାଏ ?


କାର୍ତ୍ତିକ ପୂର୍ଣ୍ଣିମାରେ ଗୋପନାରୀମାନଙ୍କ ମେଳରେ ରାଧାକୃଷ୍ଣଙ୍କର ନୃତ୍ୟୋତ୍ସବ ହୋଇଥିଲା । ଶ୍ରୀମଦ ଭାଗବତରେ ଉଲ୍ଲେଖ ଅଛି- ‘ରାସୋତ୍ସବଃ ସମ୍ପ୍ରବୃତ୍ତୋ ଗୋପୀ ମଣ୍ଡଲ ମଣ୍ଡିତଃ, ଯୋଗେଶ୍ୱରେଣ କୃଷ୍ଣେନ ତାସାଂ ମଧ୍ୟେ ଦ୍ୱୟୋର୍ଦ୍ୱୟୋଃ ।’ ପୂର୍ଣ୍ଣକାମ ଯୋଗେଶ୍ୱର, ରାସେଶ୍ୱର ଶ୍ରୀକୃଷ୍ଣ ଦୁଇଦୁଇଜଣ ଗୋପୀଙ୍କର ମଝିରେ ସ୍ୱୟଂ ଆବିର୍ଭାବ ହୋଇ ସେମାନଙ୍କ ଗଳାରେ ହାତ ଛନ୍ଦି ଦେଲେ । ଏହିଭଳି ଜଣେ ଗୋପୀ ଓ ଜଣେ କୃଷ୍ଣ ସେତେବେଳେ ଏପରି କ୍ରମ ଥିଲା । ନିଜର ପ୍ରାଣ ପ୍ରିୟ ନିଜ ପାଖରେ ଥିବା ସମସ୍ତ ଗୋପୀ ଅନୁଭବ କରିବାରେ ଲାଗିଲେ । ଏହିପରି ହଜାର ହଜାର ଗୋପୀଙ୍କଦ୍ୱାରା ଶୋଭାୟମାନ ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ରାସୋତ୍ସବ ଆରମ୍ଭ ହୋଇଥିଲା । ରାସମଣ୍ଡଳରେ ସମସ୍ତ ଗୋପୀ ସେମାନଙ୍କର ପ୍ରିୟତମ ଶ୍ରୀକୃଷ୍ଣଙ୍କ ସହିତ ନୃତ୍ୟ କରିଥିଲେ ।

ଓଡ଼ିଆ ଭାଗବତ ( ତ୍ରିଂଶ ଅଧ୍ୟାୟ )


ଶୁଣ ପରୀକ୍ଷ ନରନାଥ । କୃଷ୍ଣଚରିତ ଭାଗବତ ॥୧
ଶରଦକାଳର ଯେ ଶଶୀ । ମଲ୍ଲିକାପୁଷ୍ପ ପ୍ରାୟେ ଦିଶି ॥୨
ଦେଖି ସାନନ୍ଦ ଦାମୋଦର । ମାୟାମନୁଷ୍ୟ ମାୟାଧର ॥୩
ଗୋବିନ୍ଦ ବିଚାରନ୍ତି ମନେ । ଆଜ ରମିବା ବୃନ୍ଦାବନେ ॥୪
ଷୋଳସହସ୍ର ଗୋପନାରୀ । ମୋତେ ବରିଲେ ତପ କରି ॥୫
ମୁଁ ତାଙ୍କ ପୂରାଇବି ଆଶ । ସେ ମୋର ଭକତ ବିଶ୍ୱାସ ॥୬
ଅନେକ ଜନ୍ମେ ତପ କରି । ଏବେ ହୋଇଲେ ଗୋପନାରୀ ॥୭
ରମିଣ ଦେବି ନିଜପୁର । ଆଜ ମୁଁ କରିବି ନିସ୍ତାର ॥୮
ଏତେ ବିଚାରି ବନମାଳୀ । ଘେନିଲେ ବିରହ ମୁରଲୀ ॥୯
ସ୍ୱଭାବେ ଶରଦର କାଳ । ପବନ ବହେ ପରିମଳ ॥୧୦
ଫୁଟିଲେ ଜଳସ୍ଥଳେ ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ ॥୧୧
ଗଗନେ ପ୍ରକାଶିଲା ଶଶୀ । ନିର୍ମଳ ବିରାଜଇ ନିଶି ॥୧୨
ଚନ୍ଦ୍ରମଣ୍ତଳ ଅଖଣ୍ତିତ । ଦେଖି ଉଷତ ଗୋପୀନାଥ ॥୧୩
ଲକ୍ଷ୍ମୀର ମୁଖପ୍ରାୟ ଦିଶି । କିରଣେ ଦଶଦିଗ ତୋଷି ॥୧୪
କାଳିନ୍ଦୀକୂଳେ ବ୍ରହ୍ମରାଶି । ସହସ୍ରଯୁଗେ ଯାହା ଘୋଷି ॥୧୫
ତ୍ରିଭଙ୍ଗ ଛନ୍ଦେ ହୋଇ ଉଭା । ଚାରୁ ଅଧରେ ବେଣୁ ଶୋଭା ॥୧୬
ଗୋପୀଙ୍କ ନାମ ଧରି ଧୀରେ । ମୁରଲୀ ଡ଼ାକଇ ସୁସ୍ୱରେ ॥୧୭
ଗୋପୀଏ ଥିଲେ ନିଜ ପୁରେ । ନାଦ ଶୁଣିଲେ ଯେଝା ଘରେ ॥୧୮
ଦଣ୍ତେ ଶୁଣିଲେ ସ୍ଥିର କରି । ବେଣୁ ଡ଼ାକଇ ନାମ ଧରି ॥୧୯
ଶୁଣି ହୋଇଲେ ଛନଛନ । ବ୍ୟାପାରେ ନ ଲାଗିଲା ମନ ॥୨୦
କର ଚରଣ ନଚଳଇ । ମଦନେ କମ୍ପୁଅଛି ଦେହୀ ॥୨୧
ନାଦେ ମୋହିଲେ ବନମାଳୀ । ଷୋଳସହସ୍ର ଗୋପବାଳୀ ॥୨୨
ଏକକୁ ଆରେକ ଲୁଚାଇ । ଧାଇଁଲେ ଅସମ୍ଭାଳ ହୋଇ ॥୨୩
ବୋଲନ୍ତି ନ ପୁଣ ଏଜାଣି । ମୋତେ ହୋଇବ ସପତଣୀ ॥୨୪
ଆଗେ ମୁଁ ଯିବି ବୃନ୍ଦାବନେ । ରମିବି ନନ୍ଦର ନନ୍ଦନେ ॥୨୫
ଦେଖିବି ନୟନ ପୂରାଇ । ମୋହର ନାମେ ବେଣୁ ବାଇ ॥୨୬
କିପା ଡ଼ାକଇ ରାତ୍ରକାଳେ । ଉଭାରି କଦମ୍ବର ମୂଳେ ॥୨୭
ଜଳକ୍ରୀଡ଼ାର ବେଳେ ଗଲା । ଆମ୍ଭର ବସ୍ତ୍ର ଚୋରି କଲା ॥୨୮
କଦମ୍ବବୃକ୍ଷେ ନେଇ ଥୋଇ । ମାଗିଲେ ବସ୍ତ୍ର ନ ଦିଅଇ ॥୨୯
ଉଲଗ୍ନେ ଜଳମଧ୍ୟେ ଥାଇ । ଶୀତେ କମ୍ପଇ ଆମ୍ଭ ଦେହୀ ॥୩୦
ଅନେକ ବିନୟ ହୋଇଲୁ । ଦନ୍ତରେ ତିରଣ ଧଇଲୁ ॥୩୧
ବୋଇଲା ଉଠିଆସ ଜଳୁ । ଯେ ଯାହା ବସ୍ତ୍ର ନିଅ ଡ଼ାଳୁ ॥୩୨
ଯେ ଯାହା ବସ୍ତ୍ର ଚିହ୍ନି ନିଅ । ନୋହିଲେ ଜଳମଧ୍ୟେ ଥାଅ ॥୩୩
ତା'ର ବଚନେ ଲଜ୍ଜା ଛାଡ଼ି । ଆଣି ପିନ୍ଧୁଲୁ ଯେଝା ଶାଢ଼ୀ ॥୩୪
ଆମ୍ଭର ଶୁଦ୍ଧମନ ଜାଣି । ହସି ବୋଇଲେ ବେଣୁ ପାଣି ॥୩୫
ଦେବତା ପୂଜି ନଦୀତୀରେ । ମୋତେ ଯେ ବରିଅଛ ବରେ ॥୩୬
ସେ କଥା କରିବଇଁ ମୁହିଁ । ନିୟମ କଲେ ବେଣୁ ଛୁଇଁ ॥୩୭
ସେ କଥା ସୁମରିଲେ ଆଜ । ଆମ୍ଭର ଛଡ଼ାଇବେ ଲାଜ ॥୩୮
ପତି ତନୟ ଛନ୍ତି କୋଳେ । କେମନ୍ତେ ଯିବୁ ରାତ୍ରକାଳେ ॥୩୯
ନ ଗଲେ ନ ରହେ ଜୀବନ । କାଳ ହୋଇଲା ବେଣୁ ସ୍ୱନ ॥୪୦
ଏମନ୍ତେ ହୋଇଲେ ବାହାର । ମଦନେ କମ୍ପଇ ଶରୀର ॥୪୧
କେ ଗୋପୀ ଦୁହୁଁଥିଲା ଗାଈ । ବାଛୁରୀ ବାନ୍ଧି ଛନ୍ଦ ଦେଇ ॥୪୨
ମୁରଲୀ ଶୁଣି କର୍ଣ୍ଣମୂଳେ । ଦୁହୁଣୀ ପକାଇଲା ତଳେ ॥୪୩
ମୁରଲୀ ଧ୍ୱନି ଶୁଣି ବେଗେ । ଧାଇଁଲା ବୃନ୍ଦାବନ ଲାଗେ ॥୪୪
କେ ବସି କାଢ଼ୁଥିଲା ସର । ମୁରଲୀ ଶୁଣିଲା ସୁସ୍ୱର ॥୪୫
ଡ଼ାକଇ ତା'ର ନାମ ଧରି । ବେଗେ ଧାଇଁଲା ଗୋପନାରୀ ॥୪୬
କେ କରୁଥିଲା ଦଧି ଯୋଗ । ଶୁଣି ଧାଇଁଲା ବେଗବେଗ ॥୪୭
କେ ଦୁଧ ଚୁଲିରେ ବସାଇ । ମୁରଲୀ ଶୁଣି ଗଲା ଧାଇଁ ॥୪୮
କେ କୋଳେ ବାଳକ ବସାଇ । ଦୁଧ ପିଆଉଁ ଗୀତ ଗାଇ ॥୪୯
କର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଡ଼ାକଇ ତା'ର ନାମ ଘେନି ॥୫୦
ବାଳକ ପକାଇଲା ତଳେ । ଧାଇଁଲା ମଦନ ବିକଳେ ॥୫୧
ସ୍ୱାମୀ ଶୟନସ୍ଥାନେ ଥାଇ । କେ ଗୋପୀ ଚରଣ ଚାପଇ ॥୫୨
ମୁରଲୀ ତା'ର ନାମ ଧରି । ଡାକଇ ଆସ ବେଗ କରି ॥୫୩
ପତି ଚରଣ ଥୋଇ ତଳେ । ବେଗେ ଧାଇଁଲା କାମଭୋଳେ ॥୫୪
କେ ବସି ଭୁଞ୍ଜୁଥିଲା ଅନ୍ନ । କର୍ଣ୍ଣେ ଶୁଣିଲା ବେଣୁସ୍ୱନ ॥୫୫
ବୋଲଇ ଆସ ତୁହି ବେଗେ । କୃଷ୍ଣଙ୍କୁ ଦେଖ ବନଭାଗେ ॥୫୬
ଶୁଣି ଭୋଜନ ଉପେକ୍ଷିଲା । ହସ୍ତ ପଖାଳି ନ ପାରିଲା ॥୫୭
ବେଗେ ଧାଇଁଲା ବୃନ୍ଦାବନ । ଯେଣେ ଶୁଭଇ ବେଣୁସ୍ୱନ ॥୫୮
କେ ବସି ଲିପୁଥିଲା ଘର । ମୁରଲୀ ଶୁଣିଲା କର୍ଣ୍ଣର ॥୫୯
ବୋଲଇ ଆସ ତୁ ବହନେ । ହରିଙ୍କି ରମ ବୃନ୍ଦାବନେ ॥୬୦
ଘର ବ୍ୟାପାର ଉପେକ୍ଷିଲା । ବେଗେ ସେ ବୃନ୍ଦାବନେ ଗଲା ॥୬୧
କେ ବସିଥିଲା ନିଜ ଘରେ । କଜ୍ଜ୍ୱଳପାତି ଘେନି କରେ ॥୬୨
ଏକ ଲୋଚନେ ରଞ୍ଜିଥିଲା । ତା' ନାମେ ମୁରଲୀ ଡ଼ାକିଲା ॥୬୩
ଧାମଇଁ ଅସମ୍ଭାଳ ହୋଇ । କଜ୍ଜ୍ୱଳପାତି କରେ ଲଇଁ ॥୬୪
କେ ଗୋପୀ ବସ୍ତ୍ରତଳେ ଥୋଇ । କୁଙ୍କୁମ ଶରୀରେ ଲେପଇ ॥୬୫
କର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଉଠିଲା କରେ ବସ୍ତ୍ର ଘେନି ॥୬୬
ଜ୍ଞାନ ହାରିଲା କାମଭୋଳେ । ପିନ୍ଧିଲା କନ୍ଧରୁ ଅଞ୍ଚଳେ ॥୬୭
କେ ଗୋପୀ କୃଷ୍ଣନାମ ଧରି । ଗୃହ ବ୍ୟାପାର ଗୃହେ କରି ॥୬୮
ଶୁଣିଲା କୃଷ୍ଣ-ବେଣୁନାଦ । ମଦନବାଣେ ତନୁ ଖେଦ ॥୬୯
କେହୁ ତାମ୍ବୁଳ ଭୁଞ୍ଜୁଥିଲା । ଅର୍ଦ୍ଧେକ ହସ୍ତରେ ଘେନିଲା ॥୭୦
କେହୁ ପାହୁଡ଼ ଗୋଡୁ କାଢ଼ି । ଲେଉଟି ନ ପାରିଲା ଭରି ॥୭୧
କେହି ତିଳକ ଘେନୁଥିଲା । ଅର୍ଦ୍ଧେ ତିଳକ ସେ ଲିହିଲା ॥୭୨
କେ ଗୋପୀ ରତ୍ନଚାପସରି । ଚରଣେ ବାନ୍ଧିଲା ପାସୋରି ॥୭୩
ମୁରଲୀନାଦ ଅନୁସରି । ବନେ ଧାଇଁଲା ଗୋପନାରୀ ॥୭୪
ଏମନ୍ତେ କହିବଇଁ କେତେ । ଷୋଳସହସ୍ର ଯେଝାମତେ ॥୭୫
କାହାର ସ୍ୱାମୀ ବଳବନ୍ତ । ଆଗରେ ଓଗାଳିଲା ପଥ ॥୭୬
କାହାର ପୁତ୍ର ଗୋଡ଼ାଇଲା । ଶ୍ୱଶୁର ଖୁଡ଼ୁତା ମଉଳା ॥୭୭
ଭାଇ ଭଣଜା ଇଷ୍ଟ ମିତ୍ର । ଆଗରୁ ଓଗାଳିଲେ ପଥ ॥୭୮
ବୋଲନ୍ତି ଗୋପୀଙ୍କି ଅନାଇ । ଏ କଥା ଉଚିତ ନୁହଁଇ ॥୭୯
ରଜନୀକାଳେ ଯାଅ ବନ । ଲଜ୍ଜା କି ଛାଡ଼ିଲା ବଦନ ॥୮୦
ଶୁଣି ବୋଲନ୍ତି ଗୋପବାଳୀ । ବନେ ବିଜୟ ବନମାଳୀ ॥୮୧
ଶୁଣ ଶୁଭଇ ବେଣୁନାଦ । ମୁରଲୀ ବଡ଼ଇ ଆନନ୍ଦ ॥୮୨
କ୍ଷଣେ ମୁରଲୀ ନାଦ ଶୁଣି । ଆମ୍ଭେ ଆସିବୁ ଏହିକ୍ଷଣି ॥୮୩
ଦାସବତ୍ସ›ଳ ଭଗବାନ । ମୋହିଲେ ଗୋପାଳଙ୍କ ମନ ॥୮୪
ତୁଣ୍ତରୁ ନ ଇଲା ଉତ୍ତର । ବାହୁଡ଼ିଗଲେ ଯେଝା ଘର ॥୮୫
ଏକ ଗୋପିକା କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ ॥ ୮୬
ତାହାର ସ୍ୱାମୀ କର ଧରି । ଘରେ ଆଣିଲା ନିଜ ନାରୀ ॥୮୭
ଗମ୍ଭୀରୀ ଭିତରେ ବାନ୍ଧିଲା । ଅନେକ ମାଡ ହିଁ ମାଇଲା ॥୮୮
ଦ୍ୱାରେ କବାଟ ଦେଲା କିଳି । ବିକଳେ କାନ୍ଦଇ ଗୁଆଳୀ ॥୮୯
ମୁରଲୀ ତା'ର ନାମ ଧରି । ଡ଼ାକଇ ଆସ ବେଗକରି ॥୯୦
ସେ ଗୋପୀ ବନ୍ଧନରେ ପଡ଼ି । କାନ୍ଦଇ ସ୍ତମ୍ଭେ ମୁଣ୍ତକୋଡ଼ି ॥୯୧
କୃଷ୍ଣର ଦେହେ ଦେଇ ମନ । କ୍ଷଣକ୍ଷଣକେ ଅଚେତନ ॥୯୨
ସହି ନ ପାରି ତାପଭର । ବେନିଲୋଚନ କଲା ସ୍ଥିର ॥୯୩
ନୟନ ପିତୁଳି ଲେଉଟି । ଭିତରେ କଲା ଏକଦୃଷ୍ଟି ॥୯୪
ଧ୍ୟାନେ ଦେଖିଲା ଭଗବାନ । ନିର୍ଭରେ କଲା ଆଲିଙ୍ଗନ ॥୯୫
ଡ଼ାକିଲା କୃଷ୍ଣ ତ୍ରାହି ତ୍ରାହି । ପ୍ରାଣ ଛାଡ଼ିଲା ଚୁମ୍ବ ଦେଇ ॥୯୬
ଜୀବନ ଛାଡ଼ି ରସଭରେ । ପଶିଲା ଗୋବିନ୍ଦ ଶରୀରେ ॥୯୭
ଶୁଣି ପରୀକ୍ଷ ଦଣ୍ତଧାରୀ । ମୁନି ଚରଣତଳେ ପଡ଼ି ॥୯୮
ବୋଲଇ ହେଲି କୃତକୃତ୍ୟ । ଶୁଣି ଚରିତ ଭାଗବତ ॥୯୯
ଭୋ ମୁନି ହୋଇଲି ଚକିତ । ତୁମ୍ଭେ କହିଲ ବିପରୀତ ॥୧୦୦
ପରପୁରୁଷେ ମନ ଦେଇ । ଯେ ନାରୀ ଏକାନ୍ତେ ରମଇଁ ॥୧୦୧
ବିଟପୀବାଦ ହୋଇ ତାରେ । ନରକେ ପଡ଼ଇ ନିର୍ଭରେ ॥୧୦୨
ସେ କିମ୍ବା ଗୋବିନ୍ଦେ ପଶିଲା । ମୋତେ ତ ସନ୍ଦେହ ଲାଗିଲା ॥୧୦୩
ସ୍ୱଭାବେ ସ୍ତିରୀ ଜନ୍ମ ହୋଇ । ଧର୍ମ-ଅଧର୍ମ ନ ଜାଣଇ ॥୧୦୪
ପରପୁରୁଷେ ମନ ଦେଲା । ସେ କିପାଁ କୃଷ୍ଣଙ୍କୁ ପାଇଲା ॥୧୦୫
ଶୁଣି ହସିଲେ ମୁନିବର । ବୋଲନ୍ତି ଶୁଣ ଦଣ୍ତଧର ॥୧୦୬
ପୂର୍ବେ ମୁଁ କହିଅଛି ତୋତେ । ପୁରାଣ ଶିରୀଭାଗବତେ ॥୧୦୭
କୃଷ୍ଣଙ୍କୁ କରି ଶତ୍ରୁବଳ । ମୋକ୍ଷ ହେଇଲା ଶିଶୁପାଳ ॥୧୦୮
ଏ ଆଦି ଅରିପଣ କଲେ । ପଶିଲେ କୃଷ୍ଣର ଶରୀରେ ॥୧୦୯
ମିତ୍ର ସ୍ୱଭାବେ ଦାମୋଦର । ଏ ଆଦି ଯେତେ ମିତ୍ରବର ॥୧୧୦
ମିତ୍ର ଅଇରୀ ଯେଣୁ ନାହିଁ । ତରିଲେ ସୂକ୍ଷ୍ମ‌ପଦ ପାଇ ॥୧୧୧
ତାହାଙ୍କୁ ପ୍ରିୟପଣେ ସେବି । କିପାଁ ନୋହିବେ ମୋକ୍ଷଭାଗୀ ॥୧୧୨
ଭକତ ତାରିବାର ଆଶେ । ବ୍ରହ୍ମ ପ୍ରକାଶି ଅଛି ଅଂଶେ ॥୧୧୩
ନିର୍ଗୁଣ ହୋଇ ଗୁଣବନ୍ତ । ଦାସବ›ତ୍ସଳ ଗୋପୀନାଥ ॥୧୧୪
ତାହାର ନାହିଁ କାମ କ୍ରୋଧ । ଏକଇ ସ୍ୱଭାବ ସୁହୃଦ ॥୧୧୫
ଯାହାର ମନ ହୋଏ ଲୟେ । ସେ ପ୍ରାଣୀ ପଶେ କୃଷ୍ଣଦେହେ ॥୧୧୬
ଏଣେ ତୁ ସନ୍ଦେହ ନ କର । ମହାମହିମା ଯୋଗେଶ୍ୱର ॥୧୧୭
ଏଣେ ନ କର ଖେଦଚିତ୍ତ । କହଇ ଶୁଣ ଭାଗବତ ॥୧୧୮
ଗୋପୀଏ ଗଲେ ରାତ୍ରକାଳେ । ମିଳିଲେ କଦମ୍ବର ତଳେ ॥୧୧୯
ଷୋଳସହସ୍ର ଗୋପବାଳୀ । ଦେଖିଲେ ପ୍ରଭୁ ବନମାଳୀ ॥୧୨୦
ନାନା କୁସୁମେ ପରିମଳ । ହୃଦେ ଲମ୍ବଇ ବନମାଳ ॥୧୨୧
ଗୁଞ୍ଜରାପାଟି ତାଳୁମୂଳ । ଶ୍ରବଣେ ମକର କୁଣ୍ତଳ ॥୧୨୨
ନୁପୁର କଙ୍କଣ ବିରାଜେ । ରତ୍ନମେଖଳା କଟିମାଝେ ॥୧୨୩
ପୀତବସନ ବେଣୁଧର । ନିବିଡ଼ ସୁରଙ୍ଗ ଅଧର ॥୧୨୪
କୋଟିଏ କାମ ନୋହେ ସରି । ଦେଖି ଉଷତ ଗୋପନାରୀ ॥୧୨୫
ଅନଳ ଦେଖିଣ ପତଙ୍ଗ । ଯେହ୍ନେ ଧାମନ୍ତି ଉଦ୍‌ବେଗ ॥୧୨୬
ବେଢ଼ିଲେ ଶତେପୁର ହୋଇ । କମ୍ପନ୍ତି କୃଷ୍ଣଙ୍କୁ ଅନାଇଁ ॥୧୨୭
ଗୋପୀଙ୍କି ଦେଖି ବନମାଳୀ । ବଦନୁ ଥୋଇଲେ ମୁରଲୀ ॥୧୨୮
କୋମଳ ମଦୁର ବଚନ । କହନ୍ତି ପ୍ରଭୁ ଭଗବାନ ॥୧୨୯
ଶୁଣ ଗୋ ବ୍ରଜବଧୂ ଜନେ । ତୁମ୍ଭେ ଅଇଲ କିପାଁ ବନେ ॥୧୩୦
ଗୋପର କହ ଭଲ କଥା । ନନ୍ଦ-ଯଶୋଦାଙ୍କ ବାରତା ॥୧୩୧
ଗୋପେ କି ଆପଦ ପଡ଼ିଲା । ମୋତେ ତ ସନ୍ଦେହ ଲାଗିଲା ॥୧୩୨
ଗୋରୁଗୋପାଳେ ନେଲେ ବାନ୍ଧି । ତୁମ୍ଭେ ଅଇଲ ବନେ କାନ୍ଦି ॥୧୩୩
ସର୍ବ ସମ୍ପଦ କଲେ ଜୂର । କି ଅବା ମିଳିଲେ ଅସୁର ॥୧୩୪
ଏମନ୍ତ ପ୍ରାୟ ମୁଁ ମଣଇ । କିପାଁ ଅଇଲ ବନେ ଧାଇଁ ॥୧୩୫
ଭଲେ ଅଇଲ ମୋ' ନିକଟେ । ବଣା ନୋହିଲ ବଣବାଟେ ॥୧୩୬
ପତି-ତନୟ ଛାଡ଼ି କରି । ଗୃହ କୀରତି ପରିହରି ॥୧୩୭
କିପାଁ ଅଇଲ ଘୋରବନ । ନୁହଁଇ ଉଚିତ ବିଧାନ ॥୧୩୮
ଭାଗ୍ୟେ ମୁଁ ବାଉଥିଲି ବେଣୁ । ମୋତେ ଭେଟିଲ ଆସି ତେଣୁ ॥୧୩୯
ରଜନୀ ହୋଇଛି ଅପାର । ବନ ଗହନ କୁଞ୍ଜ ଘୋର ॥୧୪୦
ବ୍ୟାଘ୍ର ଭଲ୍ଲୁକ ବନଜୀବେ । ତୁମ୍ଭଙ୍କୁ ଦେଖିଲେ ଖାଇବେ ॥୧୪୧
ବେଗେ ବାହୁଡ଼ିଯାଅ ଘର । ରଜନୀ ହେଉଛି ଉଛୁର ॥୧୪୨
ସ୍ୱଭାବେ ସ୍ତିରୀଜନ୍ମ ହୋଇ । ବନେ ତୁମ୍ଭର ଭୟ ନାହିଁ ॥୧୪୩
ନିଶ୍ଚେ ହୋଇବ ଆଜ ନାଶ । ମରଣେ କଲଟି ବିଶ୍ୱାସ ॥୧୪୪
ଯାଅ ନ ଥାଅ ବନଘୋରେ । ତୁମ୍ଭଙ୍କୁ ଲୋଡ଼ୁଥିବେ ଘରେ ॥୧୪୫
ମାତା ପିଅର ପୁତ୍ର ଭାଇ । ଲୋଡୁ ଯେ ଥିବେ ନାମ ରାଇ ॥୧୪୬
ଯେ ଯାହା ସ୍ୱାମୀ କୋପଚିତ୍ତେ । ଲୋଡ଼ିବେ ଘରଦ୍ୱାର ପଥେ ॥୧୪୭
ନ ପାଇ କରିବେଟି ରୋଷ । ତୁମ୍ଭେ ହୋଇବ ଜାତି ନାଶ ॥୧୪୮
ବନ୍ଧୁ ବାନ୍ଧବେ ତୁମ୍ଭ ଘର । ଅନ୍ନ ନ କରିବେ ଆହାର ॥୧୪୯
ଜଳ ହିଁ ନକରିବେ ପାନ । ତୁମ୍ଭେ ହୋଇବ ଜାତିହୀନ ॥୧୫୦
ନ ଜାଣି ଯେବେ ଗୋ ଅଇଲ । ବହନ କର ମୋର ବୋଲ ॥୧୫୧
ଦେଖିଲ ବନ ପରିମଳ । ନାନା କୁସୁମେ ନଦୀଜଳ ॥୧୫୨
ମଳୟ ପବନ ଶୀତଳ । ତରୁପଲ୍ଲବେ ଭୃଙ୍ଗମେଳ ॥୧୫୩
ବହନ ଯାଅ ଗୋପପୁର । ନିଜ ପତିଙ୍କି ସେବା କର ॥୧୫୪
ଗାଈଙ୍କ ଗୋଡ଼େ ବତ୍ସା ବାନ୍ଧି । ତୁମ୍ଭେ ଯେ ଦୁହୁଁଥିଲ ଛନ୍ଦି ॥୧୫୫
କ୍ଷୀର ନ ପାଇଣ ବାଛୁରୀ । କାନ୍ଦନ୍ତି ହମ୍ବା ରାବ କରି ॥୧୫୬
ବାଳକ ଧରିଥିଲ କୋଳେ । ପକାଇ ଅଇଲ ଯେ ତଳେ ॥୧୫୭
ଛିଡ଼ିଲା ଓଷ୍ଟ ଦନ୍ତ ପାଟି । କାନ୍ଦନ୍ତି ତୁଣ୍ତେ ଭରି ମାଟି ॥୧୫୮
ବହନ ନିଜ ପୁରେ ଯାଅ । ସ୍ତନ୍ୟ ପିଆଇ ଗାଈ ଦୁହଁ ॥୧୫୯
ଯେବେ ଅଇଲ ବେଣୁ ନାଦେ । ମୋ' ରୂପ ଦେଖିବାର ସଧେ ॥୧୬୦
ଏବେ ଦେଖିଲ ମୋର ଦେହ । ଯାଅ ଗୋ ଦଣ୍ତେ ହେଁ ନ ରହ ॥୧୬୧
ସ୍ୱାମୀଙ୍କ ସଙ୍ଗେ ପ୍ରୀତିକର । ଉଚିତ ଧର୍ମ ଗୋ ତୁମ୍ଭର ॥୧୬୩
ସ୍ୱାମୀର ଯେତେ ଇଷ୍ଟଜନ । ବାଳତନୟଙ୍କ ପୋଷଣ ॥୧୬୪
ଏ ନିତ୍ୟକର୍ମ ଗୋ ତୁମ୍ଭର । ପୁଣି ବୋଲନ୍ତି ବେଣୁଧର ॥୧୬୫
ପୂର୍ବ ଅର୍ଜିଲା କର୍ମ ଲଇ । ଯେ ଯାହା ସ୍ୱାମୀ ଗୋ ମିଳଇ ॥୧୬୬
ସେ ଯେତେ ହୋଏ ଅସୁନ୍ଦର । ଦୁଃଖୀ ଦରିଦ୍ର ବ୍ୟାଧିକର ॥୧୬୭
ତାହାଙ୍କୁ ନ କରିବ ସାନ । ସେ ବିଷ୍ଣୁଦେବଙ୍କ ସମାନ ॥୧୬୮
ତାହାଙ୍କ ପାଦେ ଏକଚିତ୍ତେ । ସେବା କରିବ ଅବିରତେ ॥୧୬୯
ଏ ମାୟା ସଂସାର ବେଭାର । ଯାହା ସଞ୍ଚିଲା ବେଦବର ॥୧୭୦
ଏହା ଯେ ନ କରନ୍ତି ଭଲେ । ନରକେ ଯା'ନ୍ତି ଅନ୍ତଃକାଳେ ॥୧୭୧
ପରପୁରୁଷେ ଚିତ୍ତ ଦେଇ । ଯେ ନାରୀ ରମେ ଦେହ ବହି ॥୧୭୨
ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ ॥୧୭୩
ନିନ୍ଦିତ ହୋ'ନ୍ତି ବେନିଲୋକେ । ନିରାଶ ହୋ'ନ୍ତି ସ୍ୱାମୀ ସୁଖେ ॥୧୭୪
ବିଧବା ହୋନ୍ତି ଜନ୍ମ ସାତ । ଯେ ନାରୀ ସ୍ୱାମୀ ଅଭକତ ॥୧୭୫
ମୋତେ ଅଇଲ ଯେବେ ଦେଖି । ଏତେକେ ପୂରିଲାନି ଆଖି ॥୧୭୬
ଯେ ମୋତେ ଦୂରେ ଥାଇ ଚିନ୍ତି । ମନ ବଚନ ମୋତେ ଦ୍ୟନ୍ତି ॥୧୭୭
ବେଗେ ହୁଅନ୍ତି ଭବୁଁ ପାର । ଖଣ୍ତଇ ଭ୍ରମ ତାହାଙ୍କର ॥୧୭୮
ଯେ ମୋର ନିକଟେ ରହଇ । ସେ ପ୍ରାଣୀ ମୋତେ ନ ଭଜଇ ॥୧୭୯
ମାୟାରେ ହୋଏ ଛନଛନ । ବିଷୟାଜଡ଼େ ଥାଇ ମନ ॥୧୮୦
ସେ ମୋତେ ପାଇବ କେମନ୍ତ । ହସି ବୋଲନ୍ତି ଗୋପୀନାଥ ॥୧୮୧
ମୁନି ବୋଲନ୍ତି ରାୟେ ଶୁଣ । ଯାହା କହିଲେ ନାରାୟଣ ॥୧୮୨
କେ ତାହା କରିବଟି ଆନ । ସବୁରି ପ୍ରଭୁ ଭଗବାନ ॥୧୮୩
ଗୋପିଏ କୃଷ୍ଣକଥା ଶୁଣି । ଚିନ୍ତା ବିକଳେ ମନେ ଗୁଣି ॥୧୮୪
ବଜ୍ରପଡ଼ିଲା ଯେହ୍ନେ ଶିର । ବଦନୁ ନ ଇଲା ଉତ୍ତର ॥୧୮୫
ନିଃଶ୍ୱାସ ବହେ ଖରତର । ଶୁଖିଲା ସୁରଙ୍ଗ ଅଧର ॥୧୮୬
ଦଶନେ ଅଧର କାମୋଡ଼ି । କରଯୁଗଳ ଶିରେ ତାଡ଼ି ॥୧୮୭
ଚରଣ ଅଙ୍ଗୁଳିର ଅଗ୍ରେ । ଭୂମି ଚିରନ୍ତି କାମ ବ୍ୟଗ୍ରେ ॥୧୮୮
କମ୍ପଇ ବିକଳେ ଶରୀର । ବେନି ଲୋଚନୁ ବହେ ନୀର ॥୧୮୯
ଅଞ୍ଜନ କୁଙ୍କୁମର ସଙ୍ଗେ । ଲୁହ ପଡ଼ଇ କୁଚଯୁଗେ ॥୧୯୦
ଦୁଃଖସାଗରେ ନିମଜ୍ଜିଲେ । ସଭୟେ ଲୋଚନ ବୁଜିଲେ ॥୧୯୧
ହୋଇଲେ ମୃତପିଣ୍ତ ପ୍ରାୟେ । ଦେଖନ୍ତି ପ୍ରଭୁ ଦେବରାୟେ ॥୧୯୨
କୃଷ୍ଣ ନିଷ୍ଠୁର ବୋଲ ଶୁଣି । ଧର୍ମ ଅଧର୍ମ ମନେ ଗୁଣି ॥୧୯୩
ଯାହାର ପାଇଁ ଗୃହବାସ । ଛାଡ଼ିଲୁ ଜୀବନର ଆଶ ॥୧୯୪
ତା'ର ନିଷ୍ଠୁର କଥା ପାଇ । ଜୀବନ ଦଣ୍ତେ ନ ରହଇ ॥୧୯୫
ବେନି ଲୋଚନ ଘଷି କରେ । କୃଷ୍ଣଙ୍କୁ ଚାହିଁଲେ ସଧୀରେ ॥୧୯୬
ପାଦେ ପଡ଼ିଲେ ଏକାବେଳେ । କହନ୍ତି ଜୀବନ ବିକଳେ ॥୧୯୭
ଶିର ଲଗାଇ ପଦ୍ମ‌ପାଦେ । ବୋଲନ୍ତି ଶୋକ ଗଦଗଦେ ॥୧୯୮
ଭୋ ନାଥ ପ୍ରଭୁ ଭାବଗ୍ରାହୀ । ଏମନ୍ତ ବୋଲୁ କାହିଁପାଇଁ ॥୧୯୯
ତୁ ନୋହୁ ଯଶୋଦାନନ୍ଦନ । ଅନାଦି ପ୍ରଭୁ ନିରଞ୍ଜନ ॥୨୦୦
ଆମ୍ଭେ ଅଭାଗୀ ଦୁଃଖିନାରୀ । ଆଉ କି ଯିବୁ ଗୋପପୁରୀ ॥୨୦୧
ଛାଡ଼ିଲୁ ବିଷୟା-ବିଷାଦ । ପାଇ ତୋହର ପଦ୍ମ‌ପାଦ ॥୨୦୨
ଲକ୍ଷ୍ମୀ ଯା' ନ ଛାଡ଼ଇ କ୍ଷଣେ । ଗଙ୍ଗା ରହିଲା ନଖକୋଣେ ॥୨୦୩
ସେ ପାଦ ପାଇ ଆମ୍ଭେ ସୁଖୀ । ଏବେ ହୋଇଲୁ ନିରିମାଖୀ ॥୨୦୪
ଆମ୍ଭଙ୍କୁ ତେଜୁ କାହିଁପାଇଁ । ତୋ' ତହୁଁ ଆନଗତି ନାହିଁ ॥୨୦୫
ତୋ' ପାଦପଙ୍କଜର ମୂଳେ । ଜ୍ଞାନୀ ଚିନ୍ତନ୍ତି ଯୋଗବଳେ ॥୨୦୬
ସେ ପାଦପଦ୍ମ ଆମ୍ଭେ ପାଇ । କାହିଁକି ଯିବୁ ଭାବଗ୍ରାହୀ ॥୨୦୭
ତୋହର ପାଇଁ ଦାମୋଦର । ଛାଡ଼ିଲୁ ପତି ସୁତ ଘର ॥୨୦୮
ଭଜନ୍ତି ଯେ ତୋହର ନାମ । ତାହାଙ୍କୁ ନାହିଁ ଦୁଃଖଶ୍ରମ ॥୨୦୯
ଆମ୍ଭେ ତୋ ପାଦେ ଚିତ୍ତ ଦେଇ । ନିରାଶ ହୋଇଲୁ ଗୋସାଇଁ ॥୨୧୦
ଉଭୟେ ନ ପାଇଲୁ କୂଳ । ତୁ ଯେ ବୋଲାଉ ଆଦିମୂଳ ॥୨୧୧
ଧର୍ମବକତାଙ୍କର ଗୁରୁ । ତୋ'ର ମହିମା ମହାମେରୁ ॥୨୧୨
ଯାହା ବୋଇଲୁ ବେଦମତେ । ଭୋନାଥ ଶୁଣ ଏକଚିତ୍ତେ ॥୨୧୩
ଏ ଯେ ତୋହର ସାଧୁପଣ । ସେବିବୁଁ ସ୍ୱାମୀଙ୍କ ଚରଣ ॥୨୧୪
ଏ କଥା ଉଚିତ ତୋହର । ଭୋ ନାଥ ଶୁଣ ବେଦସାର ॥୨୧୫
ତୁ ଯେ ସକଳ ପ୍ରାଣୀଙ୍କର । ଦେହ ଜୀବନର ଠାକୁର ॥୨୧୬
ଯେ ପ୍ରାଣୀ ତୋହରେ ଭଜଇ । ତାହାର ଜନ୍ମବନ୍ଧ ନାହିଁ ॥୨୧୭
ଅନେକ ପୁଣ୍ୟ କରିଥିଲେ । ତୋ' ନାମ ଧରି ଅନ୍ତଃକାଳେ ॥୨୧୮
ଅଭୟବ୍ରହ୍ମେ ସେ ପଶନ୍ତି । ଆମ୍ଭର ନାହିଁ ମନେ ଭ୍ରାନ୍ତି ॥୨୧୯
ଆଉ କି ଗୋପପୁର ଯିବୁଁ । ପତି-ତନୟ ଆବୋରିବୁଁ ॥୨୨୦
ଆମ୍ଭର ତେଣେ ନାହିଁ ଆଶା । ତୋ ନାମ କରିଛୁ ଭରସା ॥୨୨୧
ମନ କି ନ ଜାଣୁ ଆମ୍ଭର । ଆଶା-ବିଶ୍ରାମ-ବାନା ତୋ'ର ॥୨୨୨
କାଳିନ୍ଦୀତୀରେ ବ୍ରତ କରି । ପୂଜିଲୁ ଶଙ୍କର ଗଉରୀ ॥୨୨୩
ବର ମାଗିଲୁ ଆମ୍ଭେ ଯାହା । ଭୋ ନାଥ ନ ଜାଣୁ କି ତାହା ॥୨୨୪
ଆମ୍ଭର ବସ୍ତ୍ର ଚୋରି କରି । ତୁ ଯେ ବୋଇଲୁ ନରହରି ॥୨୨୫
ରମିବି ବୃନ୍ଦାବନେ ମୁହିଁ । ନିୟମ କଲୁ ବେଣୁ ଛୁଇଁ ॥୨୨୬
ଆମ୍ଭର ସାକ୍ଷୀ ଏ ମୁରଲୀ । କିପାଁ ପାସୋରୁ ବନମାଳୀ ॥୨୨୭
ତୋହର ଯେବେ ଦୟା ନାହିଁ । କିପାଁ ରାଇଲୁ ବେଣୁ ବାଇ ॥୨୨୮
ଆମ୍ଭର ମନ ନିଜ ଘରେ । ବୁଡ଼ାଇ ଥିଲୁ ମୁହାଁସରେ ॥୨୨୯
ଶ୍ରବଣେ ମୁରଲୀ ଶୁଭିଲା । କରଚରଣ ନ ଚଳିଲା ॥୨୩୦
ଜୀବନ ହରିଲୁ ଆମ୍ଭର । ଏବେ ତ କହିଲୁ ନିଷ୍ଠୁର ॥୨୩୧
ଭୋ ନାଥ କର ପ୍ରାଣ ରକ୍ଷା । ଆମ୍ଭେ ପାଇଲୁ ବେଣୁ ଦୀକ୍ଷା ॥୨୩୨
ତୋ'ର ଅଧରାମୃତ ରସ । ଆମ୍ଭର ମୁଖରେ ବରଷ ॥୨୩୩
ଜୀବନ ରଖ ନନ୍ଦବାଳ । ଆମ୍ଭର ପୂରିଲାଟି କାଳ ॥୨୩୪
କ୍ରୋଟ-ଅନଳ ପ୍ରାୟ ହୋଇ । କାମ ଅନଳ ହୃଦ ଦହି ॥୨୩୫
ଲିଭାଅ ମୁଖୁଁ ରସ ଦେଇ । ଦାସବତ୍ସ›ଳ ଭାବଗ୍ରାହୀ ॥୨୩୬
ଯେବେ ନ ରଖୁ ବନମାଳୀ । ମରିବୁ ସକଳ ଗୁଆଳୀ ॥୨୩୭
ହତ୍ୟା ହୋଇବ ତୋର କନ୍ଧେ । ଶୁଣି ହସନ୍ତି ଆଦିକନ୍ଦେ ॥୨୩୮
ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ । ପୂତନା ପ୍ରାଣ ଅଛୁ ଖାଇ ॥୨୩୯
ତୁ କାହିଁ ରଖିବୁ ଆମ୍ଭନ୍ତ । ନିଶ୍ଚୟେ ହୋଇଲୁ କୃତାନ୍ତ ॥୨୪୦
ମରିବୁ ତୋହର ଉପରେ । ଜୀବନ ନ ରହେ ଶରୀରେ ॥୨୪୧
ଭୋ ନାଥ ତୋହର ପୟରେ । କମଳା ସେବେ ନିରନ୍ତରେ ॥୨୪୨
ଆମ୍ଭର ପ୍ରିୟ ଅଟୁ ତୁହି । ଆଶା ନ ଛେଦ ଭାବଗ୍ରାହୀ ॥୨୪୩
ତୋହର ପାଦର ତୁଳସୀ । ମାଳା କରିଣ ବ୍ରହ୍ମରାଶି ॥୨୪୪
କବରୀଭାର ସଜ କରି । ତୋ ପାଦେ ସେବିବୁ ମୁରାରି ॥୨୪୫
ତୋହର ପାଦ ହୃଦଗତେ । ମୁନିଏ ଭଜୁଥାନ୍ତି ନିତ୍ୟେ ॥୨୪୬
ସେ ପାଦେ ପଶିଲୁ ଶରଣ । ଜୀବନ ରଖ ନାରାୟଣ ॥୨୪୭
ତୋ'ର ଚରଣ ନରହରି । ସ୍ତନ-ବଦନ-ଶିରେ ଧରି ॥୨୪୮
ଆମ୍ଭର ତାପ ହୃଦୁଁ ଯିବ । ଶରଣ ରଖ ପଦ୍ମନାଭ ॥୨୪୯
ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି ॥୨୫୦
ତୋ'ର ସୁନ୍ଦର ରୂପ ଦେଖି । ପିଛାଡ଼ି ନ ପାରୁଁ ଯେ ଆଖି ॥୨୫୧
ତୋହର ରୂପ ହୃଦେ ଗୁଣି । ବ୍ରହ୍ମାଣ୍ତେ ଯେତେକ ତରୁଣୀ ॥୨୫୨
କେ ଦେହ ଧରିବ ନିର୍ଭରେ । ଶୁଣିଲା ନାହିଁ ତିନିପୁରେ ॥୨୫୩
ତୋ' ରୂପ ଦେଖି ପଶୁ ବନେ । ପୁଲ ହୋନ୍ତି ତରୁଗଣେ ॥୨୫୪
ବୋଲନ୍ତି ଶୁକ ମୁନିବର । ଶୁଣ ହୋ କୃଷ୍ଣ ରସ ସାର ॥୨୫୫
ଦେଖିଣ ଗୋପୀଙ୍କ ବିକଳ । ଦୟା ବସିଲା ଆଦିମୂଳ ॥୨୫୬
ଆନନ୍ଦେ ବେନିଭୁଜ ତୋଳି । ଆସ ବୋଇଲେ ବନମାଳୀ ॥୨୫୭
ବାହୁ ବିସ୍ତାରି କଲେ କୋଳ । ବିଶ୍ୱସ୍ୱରୂପୀ ଆଦିମୂଳ ॥୨୫୮
ଆକର୍ଷି ଆଣି ନିଜ କରେ । ହୃଦେ ଲଗାଇ କୋଳ କଲେ ॥୨୫୯
ଟାକି ଯେ ଥିଲା ଯୋଗମାୟା । ଶୂନ୍ୟରେ ବିକାଶିଲା କାୟା ॥୨୬୦
ଅତ୍ୟନ୍ତ ଦିବ୍ୟରୂପମାନ । ସୁରେଖ ତିଳକ ବଦନ ॥୨୬୧
ଅଙ୍ଗେ ଆଦିତ୍ୟରତ୍ନ ଶୋଭା । ଅଗ୍ନିଧଉତ ବାସ ପ୍ରଭା ॥୨୬୨
କପାଳେ ମଳୟ ଚନ୍ଦନ । ତାମ୍ବୁଳେ ସୁରଙ୍ଗ ବଦନ ॥୨୬୩
ମେଘେ ବିଜୁଳି ଯେହ୍ନେ ଜାଣି । ସୁରେଖ ତିଳକ ତରୁଣୀ ॥୨୬୪
କୃଷ୍ଣର ବେନିଭୁଜେ ପଶି । ତାପ ଛାଡ଼ିଲେ ଶୁଭ୍ରକେଶୀ ॥୨୬୫
ତକ୍ଷଣେ ପାଇଲେ ଜୀବନ । ହରଷ ଗୋପୀଙ୍କର ମନ ॥୨୬୬
କୃଷ୍ଣଙ୍କୁ ବେଢ଼ିଲେ ଯୁବତୀ । ଗଗନେ ଯେହ୍ନେ ତାରାପନ୍ତି ॥୨୬୭
ଗୋପୀଏ ତୋଷମନ ହୋଇ । ପୁଷ୍ପ ତୋଳନ୍ତି ବନେ ଯାଇ ॥୨୬୮
ମାଳା ଗୁନ୍ଥିଲେ ଯତ୍ନ କରି । ବର ବରିଲେ ନରହରି ॥୨୬୯
କାଳିନ୍ଦୀ ବାଲିକୁଦେ ଯାଇ । ଗୋପୀଙ୍କ ମଧ୍ୟେ ଭାବଗ୍ରାହୀ ॥୨୭୦
ଯୋଗମାୟାର ବଳେ ହରି । ଷୋଳସହସ୍ର ରୂପ ଧରି ॥୨୭୧
ହୋଇଲେ ବେନି-ବେନିଜନ । ଗୋପୀ ରମିଲେ ଭଗବାନ ॥୨୭୨
ରତି ପଣ୍ତିତ ବଳବନ୍ତ । ତୋଷିଲେ ଗୋପୀଙ୍କର ଚିତ୍ତ ॥୨୭୩
କୃଷ୍ଣରମଣ ରସ ପାଇ । ଜ୍ଞାନ ହାରିଲେ ସର୍ବଗୋଇ ॥୨୭୪
ସବୁରି ଦେହେ ନଖକ୍ଷତ । ସବୁ କୁଚରେ ପଦ୍ମହସ୍ତ ॥୨୭୫
ସକଳେ ଆଲିଙ୍ଗନ ପାଇ । ହରଷ ହୋଇ ସର୍ବଗୋଈ ॥୨୭୬
ମନେ ବିଚାର କଲେ ନାରୀ । ସ୍ୱାମୀର ଗର୍ବ ମନେ ଧରି ॥୨୭୭
ଆମ୍ଭର ପ୍ରାୟ ଭାଗ୍ୟବନ୍ତ । ନାହିଁ ନୋହିବ ଏ ଜଗତ ॥୨୭୮
ରମିଲୁ ଅନାଦି ପୁରୁଷ । ଆମ୍ଭରେ ହରି ହେଲେ ବଶ ॥୨୭୯
କୃଷ୍ଣ ଭକତ ଆମ୍ଭ ପ୍ରାୟେ । ସ୍ୱର୍ଗେ ନୋହିବେ ଦେବତାଏ ॥୨୮୦
ଏମନ୍ତେ ମନେ ଗର୍ବ ବହି । ତାହା ଜାଣିଲେ ଭାବଗ୍ରାହୀ ॥୨୮୧
ଗୋପୀଙ୍କ ଭାବ ଜାଣିବାରେ । ମାୟା ମୋହିଲେ ନଦୀତୀରେ ॥୨୮୨
ଗୋପୀଏ ବୃନ୍ଦାବତୀ ନାମେ । ଥିଲା ସେ କୃଷ୍ଣ ସନ୍ନିଧାନେ ॥୨୮୩
ପୂର୍ବେ ସେ ଅଛି ତପ କରି । ଗୋବିନ୍ଦ ତା'ର ଭୁଜ ଧରି ॥୨୮୪
ଛନ୍ଦିଲେ ଗୋପୀଙ୍କର ମନ । କୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ ॥୨୮୫
ବୋଲଇ ଦାସ ଜଗନ୍ନାଥ । ବନେ ନିରୋପି କୃଷ୍ଣପଥ ॥୨୮୬
ମୋହର ମନ ଗୋଡ଼ାଇଲା । କୃଷ୍ଣଙ୍କୁ ଭେଟ ନ ପାଇଲା ॥୨୮୭
ବାହୁଡ଼ି ହୋଇଲା ନିରାଶ । ସୁଜନେ ବୃନ୍ଦାବନେ ପଶ ॥୨୮୮
ମୁଁ ଅବା ହରିଙ୍କି ଅନାଇଁ । କାହିଁ ପାଇବି ଭାବଗ୍ରାହୀ ॥୨୮୯
ମୁଁ ଅବା କେତେକ ମାତର । କାହିଁ ପାଇବି ଚକ୍ରଧର ॥୨୯୦
ପାମର ହୀନ ମୋ'ର ବୁଦ୍ଧି । କୃଷ୍ଣ ଚରଣେ ମନ ଖେଦି ॥୨୯୧
ମୋ ଛାର ପାଇବଇଁ କାହିଁ । ଯାହାର ଆଦି ଅନ୍ତ ନାହିଁ ॥୨୯୨
ସେ ଦୟାମୟ ହରିପାଦେ । ମନ ମୋ' ରହୁ ଅପ୍ରମାଦେ ॥୨୯୩
ସୁଜନଜନଙ୍କର ହିତ । କହଇ ଦାସ ଜଗନ୍ନାଥ ॥୨୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଭଗବତୋ ରସକ୍ରୀଡ଼ାବର୍ଣ୍ଣନଂ ନାମ ତ୍ରିଂଶୋଽଧ୍ୟାୟଃ ।



ଭାରତରେ ବୈଷ୍ଣବମାନେ ଏହି ସ୍ମୃତି ଉତ୍ସବକୁ ବହୁତ ଧୁମଧାମରେ ପାଳନ କରିଥାନ୍ତି । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥୀରୁ ଆରମ୍ଭ ହେଉଥିବା ଏହି ଉତ୍ସବ ପୂର୍ଣ୍ଣମୀ ଦିନ ଉଦଯାପିତ ହୁଏ । ଭଗବାନ ଶ୍ରୀକୃଷ୍ଣ ରାସେଶ୍ୱରୀ ଶ୍ରୀରାଧାଙ୍କ ସହ ବୃନ୍ଦାବନର କୁଞ୍ଜବନରେ ରାସ ରଚନା କରିଥିଲେ । ସେହି ମଧୁର ପ୍ରତିଛବିକୁ ରାସ କୁଞ୍ଜମାନଙ୍କରେ ଉପସ୍ଥାପନା କରାଯାଏ । ରାଧାକୃଷ୍ଣଙ୍କ ଅମୃତ ପ୍ରେମ କଥାକୁ ସଚିତ୍ର ଆକାରରେ ବିଭିନ୍ନ ରାସ କୁଞ୍ଜରେ ଗାନ କରାଯାଏ । ସ୍ଥାନୀୟ କଳାକାରମାନଙ୍କୁ ନେଇ ନୃତ୍ୟ ଗୀତ ମାଧ୍ୟମରେ ଏହା ପରିବେଷଣ କରାଯାଏ । ଏହି ଅବସରରେ ପ୍ରତ୍ୟେକ ରାସ ମଣ୍ଡପରେ ରାଧାକୃଷ୍ଣଙ୍କ ଚିତ୍ର ସ୍ଥାପନା କରାଯାଇଥାଏ । ପ୍ରତ୍ୟହ ସଂଧ୍ୟରେ ତୁଳସୀ ବନ୍ଦନା, ଆକାଶ ଦୀପ ପ୍ରତିଷ୍ଠା, ମଙ୍ଗଳ ଆରତୀ ସହିତ ଭାଗବତର ଦଶମ ସ୍କନ୍ଦର ୩୦ରୁ ୩୪ ଅଧ୍ୟ୍ୟାୟରେ ବର୍ଣ୍ଣିତ ରାସଲୀଳା କଳାକାରମାନଙ୍କଦ୍ୱାରା ଉପସ୍ଥାପନା ହୋଇଥାଏ । 

କାର୍ତ୍ତିକ ପୂର୍ଣ୍ଣିମା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି । ଏହି ପର୍ବରେ ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ କାଳୀଙ୍କ ଆରାଧନା କରାଯାଏ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଏହି ମାସରେ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ ।

ଓଡ଼ିଶାର ଆଦିକବି ଶୂଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହିପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରେ ଦର୍ଶାଯାଇଛି ଯେ,କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ । ପୁନଶ୍ଚ କାର୍ତ୍ତିକ ଏକ ଧର୍ମ ମାସ ରୂପେ ମଧ୍ୟ ପରିଚିତ । ଏହି ମାସରେ ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନ ଆଦି କରିଥାନ୍ତି । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚକ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ପୂଜା କରିଥାନ୍ତି । କୁହାଯାଏ ଯେ ଏହି ପାଞ୍ଚଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ଼ ଏକାଦଶୀଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପିଣ୍ଡ ପ୍ରଦାନ ଓଡ଼ିଶାରେ ସଂପ୍ରତି ପ୍ରଚଳିତ ନାହିଁ, ମାତ୍ର ବ୍ରତ ପାଳନ ଏବେ ବି ଓଡ଼ିଆ ପରମ୍ପରାରେ ଅନୁସୃତ । ଏହି ଦିନ ମହିଳାମାନେ ରାଇ- ଦାମୋଦର ବ୍ରତର ଉଦ୍ ଯାପନ କରିଥାନ୍ତି । ବିଧବାମାନେ ଏହି ମାସରେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରିଥାନ୍ତି । ତୁଳସୀ ବୃକ୍ଷକୁ ଏହିମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଏ ।

କିମ୍ବଦନ୍ତୀ ରହିଛି ଯେ ରାକ୍ଷସ ଜଳନ୍ଧର ନିଜ ସତୀ ସ୍ୱାଧୀ ପତ୍ନୀ ତୁଳସୀଙ୍କ ପାତିବ୍ରତ୍ୟ ବଳରେ ବଳୀୟାନ ହୋଇ ଉଠିଥିଲା ଏବଂ ବୃନ୍ଦାବତୀଙ୍କ ସତୀତ୍ୱ ଅମ୍ଳାନ ରହିଥିବା ପର୍ଯ୍ୟନ୍ତ ଦେବତାମାନେ ବହୁ ଚେଷ୍ଟା ସତ୍ତ୍ୱେ ଜଳନ୍ଧର କୌଣସି ଅନିଷ୍ଟ କରିପାରି ନଥିଲେ ।

ଆକାଶଦୀପ ପ୍ରତିଷ୍ଠା କାର୍ତ୍ତିକ କୃତ୍ୟର ଆଉ ଏକ ଅବଦାନ । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ । ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଉଥାଏ । ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ । ସେ ଦିନ ପ୍ରତ୍ୟୁଷରୁ ଆବାଳ- ବୃଦ୍ଧା- ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ସମୟରେ ଗାନ କରନ୍ତି 'ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ ବିଶ୍ୱାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ । ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ଏହି ଅବସରରେ ଓଡ଼ିଶାର ନରନାରୀ ଜଳରେ ସ୍ୱଦେଶ ସଂସ୍କୃତିର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ ଓ ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ୱରୂପ ଦେବତାଙ୍କଠାରୁ ପୁଣ୍ୟ କାମନା କରିଥାନ୍ତି । ଏହି ଅବକାଶରେ ଶ୍ୟାମଦେଶ (ଥାଇଲ୍ୟାଣ୍ଡ )ରେ କଦଳୀପଟୁଆ ନିର୍ମିତ ଛୋଟଛୋଟ ଡଙ୍ଗା ଭସାଇବା ପରମ୍ପରା ଏବେ ମଧ୍ୟ ପ୍ରଚଳିତ । ଏହି ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଏହା ଓଡ଼ିଶାର ଏକ ପ୍ରଧାନ ଉତ୍ସବ । ଉତ୍କଳର ବିଲୁପ୍ତ ନୌପରମ୍ପରା ସହିତ ଏହାର ସଂପୃକ୍ତି ରହିଛି । କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଦିବସ ନାମରେ ମଧ୍ୟ ଖ୍ୟାତ ।


Post a Comment

Please Select Embedded Mode To Show The Comment System.*

Previous Post Next Post