- ଦୁବାଇରୁ ୧୭ ଦିନ ପରେ ନିଜ ଗାଁ ରେ ପହଁଚିଲା ଯୁବକଙ୍କ ମୃତଦେହ|
ନଶ୍ଚିନ୍ତକୋଇଲି: 20/11/2022: (ରିପୋର୍ଟ: ଅକ୍ଷୟ କୁମାର ସିଂହ): ୧୭ ଦିନ ପରେ ଓଡ଼ିଶାକୁ ମୃତଦେହ ଆସିଲା ସୁଦୂର ଦୁବାଇରୁ। ସୁଦୂର ଦୁବାଇ ସହରରେ ପରିବାର ପ୍ରତିପୋଷଣ କରିବାକୁ ଯାଇଥିବା ପୁଅର ମୃତଦେହ ଓଡ଼ିଶାକୁ କିପରି ଆସିବ ଚିନ୍ତାରେ ପଡ଼ି ଯାଇଥିଲେ ବୁଢ଼ା ବାପ ମା' ଙ୍କ ସହ ପରିବାର ଲୋକେ । ଯାହା ହେଉ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ୧୭ ଦିନ ପରେ ପୁଅର ମୃତଦେହ ପହଞ୍ଚିଲା ନିଜ ଗାଁ ଘରେ।
ଏଭଳି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗାଁ'ର ମାଧବ ବେହେରାଙ୍କ ପୁଅ ନାରାୟଣ ବେହେରା ଙ୍କର ହଠାତ୍ ମୃତ୍ୟୁ କୁ ନେଇ। ଘରର ଆର୍ଥିକ ସ୍ବଛଳତାକୁ ସୁଧାର ଆଣିବା ପାଇଁ ନାରାୟଣ ୧୫ ବର୍ଷ ହେଲା ଦୁବାଇ ସହରର ଏକ ଘରୋଇ ଅଟୋମୋବାଇଲ କମ୍ପାନୀରେ ଟେକ୍ନିସିଆନ ଭାବେ କାମ କରି ଓଡ଼ିଶାରେ ରହୁଥିବା ନିଜ ବାପ ମା' ପରିବାର ଙ୍କୁ ପୋଷୁଥିଲେ। ଗତ ୩ ତାରିଖ ରେ ହଠାତ୍ କୈାଣସି କାରଣରୁ ନାରାୟଣଙ୍କ ଦୁବାଇ ସହରରେ ମୃତ୍ୟୁ ଘଟିଥିଲା। ଆଉ ସେଠାରୁ ଏହି ଦୁଃଖଦ ଖବର ପାଇ ସଂପୂର୍ଣ୍ଣ ପରିବାର ସହ ଅଂଚଳବାସୀ ସ୍ତବ୍ଧ ହୋଇ ଯାଇଥିଲେ। ଏତେ ଦୂରରୁ କିପରି ପୁଅର ଶବ ଘରକୁ ଆସିବ ଆଉ ବୃଦ୍ଧ ବାପା ମା' ପୁଅକୁ ଶେଷ ଥର ପାଇଁ କିପରି ପୁଅକୁ ଆଖି ପୁରାଇ ଦେଖି ପାରିବେ, ତାକୁହିଁ ଭାବି ଭାବି ଆଖିରୁ ଲୁହ ଆଉ ଶୁଖିଲା ନାହିଁ। ଯେଉଁ ପୁଅକୁ ମା ଦିନେ' ନିଜ ପେଟରେ ୧୦ ମାସ ୧୦ ଦିନ ରଖିଥିଲା ଆଜି ସେହି ପୁଅର ମୁହଁ ଦେଖୁବାକୁ ବାଇଆଣି ପାଲଟି ଗଲାଣି ଆଉ ବୃଦ୍ଧ ମା' ଆଖିରୁ ଲୁହ ଶୁଖୁ ନଥିବା ବେଳେ, ଘରର ଗୋଟିଏ କୋଣରେ ଗୁମୁରୀ ଗୁମୁରୀ କାନ୍ଦୁଛି ସାତ ଜନ୍ମ କୁ ସାଥୀ କରିଥିବା ଧର୍ମପତ୍ନୀ।
ଏହାରି ଭିତରେ ଦୁନିଆ ଭଲକରି ଦେଖି ନଥିବା କୁନି ଝିଅଟି ଭାବୁଛି କ'ଣ ବାପା ମୋର ଆଉ ଫେରିବେନି ? କାହାରି ପାଖରେ ନାହିଁ ଏହାର ଉତ୍ତର। ଶେଷରେ ନିଃସହାୟ ହୋଇ ପରିବାର କେନ୍ଦ୍ର ସରକାର ଙ୍କ ସହାୟତା ଲୋଡିଲେ ପୁଅ ମୃତଦେହ ସୁଦୂର ଦୁବାଇ ସହର ରୁ ଆଣିବାକୁ। ସେଥିପାଇଁ କେନ୍ଦ୍ର ସରକାର ଓ ବୈଦେଶିକ ମନ୍ତ୍ରଣାଳୟକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିଲା। ଆଉ ପରିବାରର ଦୁଃଖ ଶୁଣି ତତକ୍ଷଣାତ୍ ଭାରତ ବୈଦେଶିକ ବିଭାଗ ଦୁବାଇ ରୁ ନାରାୟଣ ଙ୍କ ମୃତ ଦେହ ଆଣି ଆଜି ବୁହାଳ ଗାଁ ରେ ପହଞ୍ଚାଇଥିଲେ । ନାରାୟଣ ଙ୍କ ମୃତଦେହ ନିଜ ଗାଁ ବୁହାଳ ରେ ପହଞ୍ଚିଲା ପରେ ସମଗ୍ର ଅଂଚଳ ରେ ଶୋକର ଛାୟା ଖେଳି ଯାଇଥିଲା। ନାରାୟଣ ଙ୍କୁ ପରିବାର, ଆତ୍ମୀୟସ୍ବଜନ ଓ ସ୍ଥାନୀୟ ବାସିନ୍ଦା ଶେଷ ଦର୍ଶନ କଲା ପରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ନାରାୟଣଙ୍କ ସାନଭାଇ ମୁଖାଗ୍ନୀ ଦେଇଥିଲେ।
ଭାରତ ସରକାରଙ୍କ ଏଭଳି ସହଯୋଗକୁ ଅଂଚଳବାସୀ ଭୂୟସୀ ପ୍ରଶଂସା କରିଥିବା ବେଳେ, ପରିବାରର ସେବା କରିବାକୁ ସୁଦୂର ଦୁବାଇ ଯାଇଥିବା ପୁଅ ଆଜି ଶବ ହୋଇ ଫେରିଲା । ପୁଅକୁ ଦେଖିବା ପାଇଁ ୧୭ ଦିନ ହେଲା ଆଖିରୁ ଲୁହ ଗଡାଉଥିବା ବୃଦ୍ଧ ବାପ ମା' ଓ ସ୍ବାମୀ ର ଫେରିବା ବାଟକୁ ଚାହିଁ ବସିଥିବା ଧର୍ମପତ୍ନୀ ଙ୍କ ଆଖିର ଲୁହ ଆଉ ଶୁଖୁନାହିଁ।