ବହ୍ବାରମ୍ଭେ ଲଘୁକ୍ରିୟା
ଗୋଟିଏ ରାଜ୍ୟର ରାଜା, ଗୋଟିଏ ହାତୀ କ୍ରୟକରି ଆଣିଲେ । ସେ ରାଜ୍ୟ ତଥା ରାଜ୍ୟବାସୀଙ୍କ ପାଇଁ ହାତୀଟି ଯେ ହେତୁ ଏକ ନୂତନଜୀବ, ତେଣୁ ହାତୀଟିକୁ ଦେଖିବାପାଇଁ ଅନେକ ପ୍ରଜା ରୁଣ୍ଡିଭୂତ ହେଲେ । ପ୍ରଜାମାନଙ୍କ ଆଲୋଚନା, ପର୍ଯ୍ୟାଲୋଚନା ମଧ୍ୟରେ ଜଣେପ୍ରଜା ମାହୁନ୍ତକୁଂ ପ୍ରଶ୍ନକଲେ ,ଜୀବଟି ଯେହେତୁ ଏତେ ବିରାଟ, ତାର ବାୟୁତ୍ୟାଗ ଶବ୍ଦ ମଧ୍ୟ ଘଡ଼ଘଡି ଶବ୍ଦ ଭଳି ଲାଗୁଥିବ ? କିନ୍ତୁ ମାହୁନ୍ତ କହିଲେ ନା.... । ଏହି କାଳ୍ପନିକ ଗଳ୍ପର ଅବତାରଣ କରିବାର ଅର୍ଥ ଏଇଆ ଯେ, ଆମ ରାଜ୍ୟ ସରକାର ଦୀର୍ଘ ୨୨ ବର୍ଷ କାଳ ଶାସନ କରି ଏକ ଦୀର୍ଘ ଇତିହାସ ସୃଷ୍ଟି କରିଥିବା ବେଳେ ଲୋକ ମାନଙ୍କ ପାଇଁ ‘ ମୋ ସରକାର ’ ସର୍ବଦା ବଦ୍ଧ ପରିକର ଓ ସ୍ଵଚ୍ଛ ନିର୍ମଳ ଶାସନ ଦେବା ଲାଗି ୫ - ଟି ଗଠନ କରିଛନ୍ତି । ଜନସାଧାରଣଙ୍କର ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୂ ରୂପେ ତୁଲାଇବା ପାଇଁ ରାଜ୍ୟ ସରକାର ଏହି ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନାଗୁଡ଼ିକ ଠିକ୍ ଭାବେ ପରିଚାଳିତ ହେଉଛି କି ନାହିଁ ଓ ତା’ର ଭଲମନ୍ଦ ଦିଗ ବିଷୟରେ ଜାଣିବା ପାଇଁ ଲୋକମାନଙ୍କର ଅଭିଯୋଗକୁ କାର୍ଯ୍ୟକାରୀ କରିବା ପାଇଁ ‘ ମୋ ସରକାର ’ ଗଠନ କରାଯାଇଥିଲା । ତେବେ ‘ ମୋ ସରକାର ’ ର କାର୍ଯ୍ୟ ଶୈଳୀ ଏବେ ହାତୀର ବାୟୁତ୍ୟାଗ ଭଳି ପ୍ରତୀତ ହେଉଛି । ବିଭିନ୍ନ କାର୍ଯ୍ୟାଳୟ ର ଏକ କକ୍ଷ ମଧ୍ୟରେ ‘ ମୋ ସରକାର ’ ଲେଖା ସହିତ ମୁଖ୍ୟମନ୍ତ୍ରୀଙ୍କ ଛବି ଥିବା ଏକ ବ୍ୟାନର ମଧ୍ୟରେ ଏହା ସୀମିତ ରହିଯାଇଥିବା ଦେଖିବାକୁ ମିଳୁଛି । ସେଠାରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ବସି ‘ ମୋ ସରକାର’ର କେବଳ ସାକ୍ଷ୍ୟ ଦେଉଥିବା ଦୃଷ୍ଟିଗୋଚର ହେଉଛି । ଏହି କାର୍ଯ୍ୟାଳୟ ଗୁଡ଼ିକ ରେ ‘ ମୋ ସରକାର ’ କାର୍ଯ୍ୟ କିଛି ଦିନ ଚାଲିଲା କିନ୍ତୁ ପରେ ତାହା କୋମାକୁ ଚାଲିଗଲା । ଜନସାଧାରଣ ଅଭିଯୋଗ କରିବାକୁ ଗଲେ ‘ ମୋ ସରକାର ’ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ଦେଖା ପାଉ ନାହାନ୍ତି । ସାଧାରଣ ଲୋକଟିଏ ଅଭିଯୋଗ କରିବାକୁ ଆସି ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି । ସରକାରଙ୍କ ଟିମ୍ ୱାର୍କ , ଟେକନୋଲୋଜି , ଟ୍ରାମନ୍ସପରେନ୍ସି , ଟ୍ରାନ୍ସଫରମେସନ , ଟାଇମ ଆଦି ଯୋଜନା ଗୁଡ଼ିକ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିଲେ ମଧ୍ୟ ତାହା ଆଜି କୋମା ଅବସ୍ଥାକୁ ଚାଲି ଯାଇଛି । ରାଜ୍ୟ ସରକାର ଯେତେ ଯେତେ ନୂଆ ଯୋଜନା ମାନ ଜନସାଧାରଣଙ୍କ ପାଇଁ କରୁଛନ୍ତି ତାହା କେତେକ କର୍ମଚାରୀଙ୍କ ଖାମଖ୍ଆଲି ନୀତି ଯୋଗୁଁ ଯୋଜନାଗୁଡ଼ିକ ଲୋକମାନଙ୍କ କାମରେ ଆସିପାରୁ ନାହିଁ । ରାଜ୍ୟର କେତେକ କାର୍ଯ୍ୟାଳୟ ରେ କର୍ମଚାରୀ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଥିବା ବେଳେ ସେମାନଙ୍କର ଅନ୍ୟତ୍ର ବଦଳି ନ ହେବା ଫଳରେ ସେମାନେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହି ଜନସାଧାରଣଙ୍କ ପାଇଁ ଆସୁଥିବା ବିଭିନ୍ନ ଲୋକହିତକର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ୫ - ଟି ସଚିବ ଓ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଲେ ଜନସାଧାରଣଙ୍କର ପ୍ରକୃତ ସମସ୍ୟାଗୁଡ଼ିକ ସମାଧାନ ହୋଇ ପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।
କବି ସତ୍ୟସଂଧ, ଗଠନ ପରିବାର, ମହାବୀର କ୍ଷେତ୍ର,ଦଶପଲ୍ଲା