"କ୍ରୋନି କ୍ୟାପିଟାଲିଜିମ୍ ଛତ୍ର ଛାୟା ତଳେ ଭାରତ ର ରାଜନୀତି"

"କ୍ରୋନି କ୍ୟାପିଟାଲିଜିମ୍ ଛତ୍ର ଛାୟା ତଳେ ଭାରତ ର ରାଜନୀତି"




କ୍ୟାପିଟାଲିଜିମ୍ ବା ପୁଞ୍ଜିବାଦ ବ୍ୟବସ୍ଥା ବିଷୟରେ ଅନେକ ଅଳ୍ପ ଅଧିକ ଅବଗତ ଥିବେ, ଯେଉଁଠି ଶୋଷଣ ହିଁ ମୂଳ ଆଧାର। ବର୍ଗ ସଂଘର୍ଷ ଦ୍ଵାରା ପୁଞ୍ଜିବାଦୀ ବ୍ୟବସ୍ଥା ର ଅନ୍ତ୍ ଘଟେ। ୧୭୮୯ ର ଫ୍ରାନ୍ସ ବିପ୍ଲବ, ୧୯୦୫ ଓ ୧୯୧୭ ର ଋଷ ବିପ୍ଳବ, ୧୮୪୮ ଓ ୧୯୧୮ ରେ ଜର୍ମାନୀ ବିପ୍ଳବ ଦ୍ୱାରା ଏହା ପ୍ରମାଣ ହୋଇସାରିଛି। କାର୍ଲ ମାର୍କସ, ଲେନିନ, ଷ୍ଟାଲିନ, ଫ୍ରେଡରିକ ଏଞ୍ଜେଲ, ମ୍ୟାକ୍ସି ମିଲିୟନ, ରୋଜା ଲକ୍କମବର୍ଗ ଆଦି ଅନେକ ଦାର୍ଶନିକ ଗରିବ ଖଟିଖିଆ କୃଷକ ଶ୍ରମିକ ଙ୍କ ଶାଣିତ ସ୍ୱରକୁ ମଜବୁତ୍ ଓ ପ୍ରୟୋଗ କରି ପ୍ରମାଣ କରିଛନ୍ତି ଆଉ ସଫଳତା ମଧ୍ଯ ପାଇଛନ୍ତି।

ଭାରତ ପରିପ୍ରେକ୍ଷୀରେ ପୁଞ୍ଜିବାଦ ବ୍ୟବସ୍ଥା ବିରୁଦ୍ଧରେ ଅନେକ ସମୟରେ ସାମ୍ୟବାଦ ସଂଘର୍ଷ ହୋଇଥିଲେ ହେଁ କ୍ଷମତା ଦଖଲ କରିବା, ସାମ୍ୟବାଦ ନୀତି ରୂପାୟନ କରିବାରେ ସମ୍ଭବ ହୋଇନି। ଏହାର ଅନେକ କାରଣ ଅଛି। ତନ୍ମଧ୍ୟରୁ ମୂଳ କାରଣ ଟି ହେଉଛି ଯେଉଁମାନେ ସାମ୍ୟବାଦ ଆନ୍ଦୋଳନ ର ନେତୃତ୍ୱ ନେଉଛନ୍ତି ସେମାନେ ଗରିବ ଖଟିଖିଆ କୃଷକ ଶ୍ରମିକମାନଙ୍କ ଆସ୍ଥା କୁ ଅଦ୍ୟାବଧି ଜୟ କରି ପାରି ନାହାଁନ୍ତି ଏବଂ ପ୍ରଚ୍ଛଦ ପଟର ନାୟକ ଭାବେ ଭୂମିକା ଗ୍ରହଣ କରୁଛନ୍ତି।

ଭାରତ ର ରାଜନୈତିକ ଦଳ ଗୁଡ଼ିକର ପ୍ରବୃତ୍ତି ମୁଖ୍ୟତଃ ୩ ପ୍ରକାରର ସିଦ୍ଧାନ୍ତ ଉପରେ ପର୍ଯ୍ୟବେସିତ ଯଥା - କ) ଲେଫ୍ଟିଷ୍ଟ ବା ସାମ୍ୟବାଦୀ ଖ) ରାଇଟିଷ୍ଟ ବା ଦକ୍ଷିଣ ପନ୍ଥୀ ଗ) ସୋସିଆଲିଷ୍ଟ ବା ସମାଜବାଦୀ । ଅନେକ ସାମ୍ୟବାଦ ଓ ସମାଜବାଦ ବିଚାର କୁ ସମାନ ବୋଲି ଭାବୁଥିଲେ ହେଁ ବୈଚାରିକ ବା ସୈଦ୍ଧାନ୍ତିକ ଦୃଷ୍ଟିକୋଣରୁ ଭିନ୍ନ। ଭାରତୀୟ ରାଜନୀତି ରେ ଗାନ୍ଧିବାଦୀ ଓ ସର୍ବୋଦୟ ବାଦୀଙ୍କ ସିଦ୍ଧାନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ ହେଁ ସ୍ଵତନ୍ତ୍ର ଏକ ରାଜନୈତିକ  ଦଳ ଗଠନ କରି ଏକତ୍ରିତ ହୋଇ ନାହାଁନ୍ତି। କିନ୍ତୁ ପ୍ରତ୍ୟେକ ରାଜନୈତିକ ଦଳ ଗାନ୍ଧୀ, ଗାନ୍ଧି ବିଚାର, ଗାନ୍ଧି ଦର୍ଶନ କୁ ଆବଶ୍ୟକ ସ୍ଥଳେ ଆଧାର କରି ନିଜ ରାଜନୈତିକ ଦଳ ଛତ୍ର ଛାୟା ତଳେ ଆଶ୍ରୟ ନେଇ ଥାଆନ୍ତି।

ଭାରତର ସମ୍ବିଧାନ ନିର୍ମାତା ମାନେ ଭାରତକୁ ଏକ ସମାଜବାଦ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ର ଲକ୍ଷ୍ୟ ରଖି ସର୍ବଦା ନାଗରିକ ଙ୍କ ସମାନତା, ସ୍ଵାଧୀନତା, ବ୍ୟକ୍ତି ମର୍ଯ୍ୟାଦା ସହ ଜୀବନ ଧାରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। କିନ୍ତୁ ନିର୍ବାଚିତ ସରକାରମାନେ ସେହି ଦୃଷ୍ଟିଭଙ୍ଗୀ ରଖି ରାଷ୍ଟ୍ରକୁ ପରିଚାଳନା କରିପାରି ନାହାନ୍ତି। ଏହା ସେତେବେଳେ ସମ୍ଭବ ଯେତେବଳେ ସମାଜବାଦ ଉପରେ ଆସ୍ଥା ରଖୁଥିବା ଏକ ଜନବାଦୀ ସରକାର ଗଠନ ହେଲେ ହିଁ ବ୍ୟକ୍ତିର ମୌଳିକ ଆବଶ୍ୟକତା ପୁରଣ କରିବା ସହ ବ୍ୟାପକ କର୍ମ ନିଯୁକ୍ତି, ରୋଜଗାରର ଭିତ୍ତିଭୂମି କୁ ସୁଦୃଢ଼ କରିବା ପାରିବା ସମ୍ଭବ ହେବ।

ଅର୍ଥ ବ୍ୟବସ୍ଥା ମୁଖ୍ୟତଃ ୩ପ୍ରକାରର। ୧- ପୁଞ୍ଜିବାଦୀ ୨- ସମାଜବାଦୀ ୩- ମିଶ୍ରିତ। ସମାଜବାଦୀ ଅର୍ଥବ୍ୟବସ୍ଥା ରେ ରାଷ୍ଟ୍ର ର ହସ୍ତକ୍ଷେପ ଅଧିକ ଥିବା ବେଳେ ମିଶ୍ରିତ ଅର୍ଥ ବ୍ୟବସ୍ଥା ରେ ଅଳ୍ପ ଏବଂ ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ରେ ନ୍ୟୁନ ହୋଇଥାଏ। ଏଣୁ ସ୍ବାଧିନ ଭାରତରେ ପଣ୍ଡିତ ଜବାହର ଲାଲ ନେହେରୁ ମିଶ୍ର ଅର୍ଥନୀତି କୁ ଆପଣେଇ ଥିଲେ। ଫଳରେ ପବ୍ଲିକ ଓ ପ୍ରାଇଭେଟ୍ କ୍ଷେତ୍ର ମଧ୍ୟରେ ସହାବସ୍ଥାନ ବା ସନ୍ତୁଳନ ରହିବ । ଏହି ମିଶ୍ର ଅର୍ଥନୀତି ର ଜନକ ହେଉଛନ୍ତି ଆଡାମ ସ୍ମିଥ। ମିଶ୍ର ଅର୍ଥନୀତିର ମୂଳ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ କଲ୍ୟାଣକାରୀ ଯୋଜନା ନିର୍ମାଣ କରିବା। ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥା ଏକ ନିର୍ଦ୍ଧଷ୍ଟ ବର୍ଗଙ୍କ ସପକ୍ଷରେ ଥିବା ବେଳେ ସମାଜବାଦୀ ଅର୍ଥ ବ୍ୟବସ୍ଥା ସାମାଜିକ କଲ୍ୟାଣ ରେ ସମାହିତ ହୋଇ ପୁଞ୍ଜିବାଦୀ ବ୍ୟବସ୍ଥା ର ପ୍ରତିକୂଳ ପ୍ରଭାବ କୁ ରୋକିବାରେ ସହାୟକ ହୋଇଥାଏ । ଫଳରେ ଆୟ ବା ସମ୍ପତ୍ତି ର ତାରତମ୍ୟ ହ୍ରାସ, ବେରୋଜଗର, ଗରିବୀ ନିରାକରଣ, ସାମାଜିକ ସୁରକ୍ଷା ଆଦି ସର୍ବଜନୀନ କ୍ଷେତ୍ର ରେ ଜନ କଲ୍ୟାଣ କାର୍ଯ୍ୟ କରିବା ପାଇଁ ଅନେକ ଉପାୟ ସୃଷ୍ଟି କରେ। ପୁନଶ୍ଚ ମିଶ୍ର ଅର୍ଥନୀତି ଦ୍ଵାରା ଘରୋଇ ସମ୍ପତ୍ତି ର ସୁରକ୍ଷା ହେବା ସହ ପୁଞ୍ଜି କୁ ବ୍ଯବହାର କରାଇବାରେ ଆର୍ଥିକ ସ୍ଵାଧୀନତା ମିଳିବ ଏବଂ ସାମାଜିକ ଲକ୍ଷ୍ୟ ହାସଲ ପାଇଁ ଅର୍ଥନୈତିକ କାର୍ଯ୍ଯରେ ସରକାରଙ୍କ ହସ୍ତକ୍ଷେପ ରହିବ।

କିନ୍ତୁ ନବେ ଦଶକରେ ଯେଉଁ ବିଶ୍ୱ ଅର୍ଥନୀତି ବ୍ୟବସ୍ଥା ବିଶ୍ବ ବାଣିଜ୍ୟ ସଙ୍ଗଠନ, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ବ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଢାଞ୍ଚା ଗତ ସଂସ୍କାର ନୀତି ପ୍ରସ୍ତୁତ ହେଲା ସେଥିରେ ପୁଞ୍ଜିବାଦୀ ବ୍ୟବସ୍ଥାକୁ ଅନେକ ଗରିବ ପ୍ରଗତିଶୀଳ ରାଷ୍ଟ୍ର ଉପରେ ଜବରଦସ୍ତ ଲଦି ଦିଆଗଲା। ଭାରତ ମଧ୍ଯ ସେହି ଅର୍ଥ ବ୍ୟବସ୍ଥା ଅନୁସରଣ କରିଲା। ତଦ୍ୱାରା ସାମାଜିକ ରାଜନୈତିକ ସାଂସ୍କୃତିକ ଅର୍ଥନୈତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ହେଲା ସତ କିନ୍ତୁ ନାଗରିକ ଙ୍କ ମର୍ଯ୍ୟାଦା ସହ ଜୀବନ ଧାରଣ ମାନ ରେ କୌଣସି ପରିବର୍ତ୍ତନ ଆସିଲା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦେଶୀ ପୁଞ୍ଜି ନିବେଶ ପାଇଁ ଦ୍ଵାର ଉନ୍ମୁକ୍ତ ରହିଲା। ଘରୋଇ କରଣ, ଉଦାରି କରଣ, ବୈଶ୍ୱିକରଣ ପ୍ରକ୍ରିୟାକୁ ଆପଣେଇ ଶ୍ରମ ଆଇନ୍, ଭୂମି ଅଧିଗ୍ରହଣ ଆଇନ୍ ପରିବେଶ ଆଇନ୍ ମଜୁରୀ ଆଇନ୍ କମ୍ପାନୀ ଆଇନ୍ ଆମଦାନୀ ଓ ରପ୍ତାନି ଆଇନ୍ ଇତ୍ୟାଦିରେ ବ୍ୟାପକ ପରିବର୍ତ୍ତନ ଘଟିଲା। ଉ. ସ୍ଵ - ୨୦୦୫ ମସିହାରେ ବିପଜ୍ଜନକ ସ୍ଵତନ୍ତ୍ର ଅର୍ଥନୈତିକ ଅଞ୍ଚଳ ଆଇନ୍ ପ୍ରଣୟନ ଦ୍ଵାରା ବୃହତ୍ ଘରୋଇ ଶିଳ୍ପ ସମୃଦ୍ଧ କରିଡ଼ର ସ୍ଥାପନ ପାଇଁ ସ୍ବତନ୍ତ୍ର ଅଞ୍ଚଳ ଘୋଷଣା କରିବା। ଯାହା ସ୍ବାଧିନ ଭାରତ ମଧ୍ୟରେ ପରାଧୀନ ଭୂଖଣ୍ଡ ସ୍ଥାପନ ଭଳି ସୁଯୋଗ ମିଳିଗଲା। ଏପରିକି ଏହି ଅଞ୍ଚଳ ରେ ପୋଲିସ୍ ପ୍ରବେଶ, ଅପରାଧ ଯାଞ୍ଚ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଲେ। ଶ୍ରମ ଶୋଷଣ ପ୍ରକ୍ରିୟା ଚାଲିଲା। ଠିକା ଓ ଚୁକ୍ତି ଭିତ୍ତିକ ଶ୍ରମିକ ନିଯୁକ୍ତି ଓ ଶ୍ରମିକ ଛଟେଇ ଆରମ୍ଭ ହେଲା। ମାନବ ସମ୍ବଳ ଉପରେ ଗୁରୁତ୍ବ ନଦେଇ ବ୍ୟାପକ ଯନ୍ତ୍ର ବ୍ୟବହାର ହେବା ଫଳରେ ନିଯୁକ୍ତି ହ୍ରାସ ଓ ବେରୋଜଗାର ବୃଦ୍ଧି ଘଟିଲା। ପ୍ରାକୃତିକ ସମ୍ବଳ ହରଣ ଓ ନିୟନ୍ତ୍ରଣ ପୁଞ୍ଜିବାଦୀ ଶିଳ୍ପପତି ଙ୍କ ହାତକୁ ଆସ୍ତେ ଆସ୍ତେ ଯିବା ଆରମ୍ଭ ହେଲା।

୨୦୧୪ ମସିହା ପରେ ଏହି ପ୍ରକ୍ରିୟା ଜୋର୍ ସୋର୍ ରେ କାୟା ବିସ୍ତାର କରି "କ୍ରୋନି କ୍ୟାପିଟାଲିଜିମ୍" ରୂପରେ ଉଭା ହୋଇଛି। ସାଧାରଣ ଭାବେ କହିବାକୁ ଗଲେ ଏହାର ମୂଳ ଲକ୍ଷ୍ୟ ପୁଞ୍ଜି ଠୁଳ ଓ ପୁଞ୍ଜିର ଘୂର୍ଣନ ବିକାଶ। ଏପରି ଏକ ଅର୍ଥବ୍ୟବସ୍ଥା ଯେଉଁଥିରେ ଶାସନ କଳ ଓ ବୃହତ୍ ବ୍ୟବସାୟୀ ଙ୍କ ଘନିଷ୍ଠ ସମ୍ପର୍କ ପରସ୍ପର ଉଭୟେ ଲାଭଦାୟକ ସ୍ଵଭାବକୁ ପ୍ରଦର୍ଶିତ କରାଇଥାନ୍ତି। ଏହି ପ୍ରକ୍ରିୟା ରେ ସରକାର ନୀତି ତିଆରି କରନ୍ତି ସତ କିନ୍ତୁ ଫାଇଦା ଏକ ନିର୍ଦ୍ଧିଷ୍ଟ ବର୍ଗ ପାଇଥାନ୍ତି। ଏଣୁ ପ୍ରଚ୍ଛଦ ରାଜନୈତିକ ପୁଞ୍ଜିବାଦୀମାନେ ବିଜୟୀ ହେଉଥିବା ବେଳେ କରଦାତା, ଗ୍ରାହକ ବା ଉପଭୋକ୍ତା , ବ୍ୟବସାୟୀ ପ୍ରତିଦ୍ବନ୍ଦୀ ଅନେକ କିଛି ହରେଇ ଥାଆନ୍ତି। 

କ୍ରୋନି କ୍ୟାପିଟାଲିଜିମର ପ୍ରମୁଖ୍ ଆଚରଣ ଗୁଡ଼ିକ ହେଲା "କିଛି ଲୋକଙ୍କ ହାତରେ ଶାସନ ବା କ୍ଷମତା ରହିବା, ସମସ୍ତ ପ୍ରକାର ନୀତି ନିୟମ ଉଲ୍ଲଙ୍ଘନ କରି ଯୋଗ୍ୟତା ନଥାଇ ମଧ୍ଯ ନିଜର ପରିବାର ମିତ୍ର ବନ୍ଧୁ ବାନ୍ଧବ ସହଚର ମାନଙ୍କୁ ନିଯୁକ୍ତି ଦେଇ ବିଭିନ୍ନ ସୁବିଧା ପ୍ରଦାନ କରିବା, ଟ୍ୟାକ୍ସ ବ୍ୟାଙ୍କ୍ ଋଣ ଛାଡ଼ କରିବା, ସରକାରୀ ସହାୟତା ଲୋକଙ୍କ ବଦଳରେ ପୁଞ୍ଜିପତି ମାନଙ୍କୁ ପ୍ରଦାନ କରିବା, ମୁଦ୍ରିକରଣ ନାମରେ ରାଷ୍ଟ୍ରାୟତ ଉଦ୍ୟୋଗ - ପବ୍ଲିକ ସେକ୍ଟର ୟୁନିଟ - ଫାର୍ମ ଆଦିକୁ ପୁଞ୍ଜିପତି ହାତକୁ ଟେକି ଦେବା,  ମୁକ୍ତ ବଜାର ସ୍ଥାପନା କରିବା, ଶ୍ରମ ଓ ଉତ୍ପାଦନ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ସରକାର ବଦଳରେ ବ୍ୟବସାୟୀ ଙ୍କ ହାତରେ ରହିବା, ଅରାଜକତା ବିସ୍ତାର କରିବା, ଗଣମାଧ୍ୟମ ର ନିରପେକ୍ଷତା କୁ ନଷ୍ଟ କରିବା, ଧନୀ ଓ କ୍ଷମତାସୀନ ସପକ୍ଷବାଦୀ ଚର୍ଚ୍ଚା କରି ପ୍ରସାରଣ କରିବା, ମିଡ଼ିଆ କୁ କବଳିତ କରିବା, ଗଣ ପ୍ରସଙ୍ଗ ପ୍ରଚାର ପ୍ରସାର ରୁ ଦୂରେଇ ରଖିବା, ରାଷ୍ଟ୍ର ନିଜ ପ୍ରଭୂତ୍ଵ ଦର୍ଶାଇ ଲାଭ ଉଦ୍ଦେଶ୍ୟ ରେ ସାଧନ ବା ଉତ୍ପାଦନ କୁ ନିୟନ୍ତ୍ରଣ କରିବା, ସେବା ପ୍ରଦାନ କ୍ଷେତ୍ରରେ ବ୍ୟବସାୟିକ ଢାଞ୍ଚା ସ୍ଥାପନା କରିବା, କିଛି ସ୍ୱଳ୍ପ ବ୍ୟକ୍ତି ଦ୍ଵାରା ଉତ୍ପାଦନ ସାଧନ କୁ ନିୟନ୍ତ୍ରଣ ଫଳରେ ରାଷ୍ଟ୍ର ଦୋବଳିଆ ହେବା, ଦିନ କୁ ଦିନ ଘରୋଇ ହାତରେ ପୁଞ୍ଜି ଠୁଳ ହେବା, ପୁଞ୍ଜି ବିନିଯୋଗ  ବୃଦ୍ଧି କରି ନିଜସ୍ଵ ସମ୍ପତ୍ତିରେ ଅଧିକ ମୁନାଫା ସଂଯୁକ୍ତ କରିବା ଇତ୍ୟାଦି। ଦେଶଭକ୍ତି, ରାଷ୍ଟ୍ର ସ୍ବାର୍ଥ, ବିକାଶ ଦ୍ୱାହି ଦେଇ ଦେଶବାସୀଙ୍କୁ ବିଭ୍ରାନ୍ତ କରି ମଧ୍ୟ ଯୁଗୀୟ ରୀତି ରିବାଜ୍ ସ୍ଥାପନା କରିବା, ଅବୈଜ୍ଞାନିକ ବିଚାର ରୁଢ଼ି ବାଦୀ ତତ୍ତ୍ଵରେ ବିଶ୍ବାସ ଇତ୍ୟାଦି ପ୍ରସାରଣ ଫଳରେ ରାଷ୍ଟ୍ର ଓ ଅର୍ଥନୀତି ର ଅଧୋଗତି ଘଟିଥାଏ।

କ୍ରୋନି କ୍ୟାପିଟାଲିଜିମ୍ କୁ ଅନ୍ୟ ଭାଷାରେ କ୍ରୋନିଜିମ୍ ମଧ୍ଯ କୁହାଯାଏ। ଏଥି ପ୍ରକ୍ରିୟା ରେ ରାଜନୈତିକ ବର୍ଗ ଓ ବ୍ୟବସାୟୀ ବର୍ଗ ଙ୍କ ମଧ୍ୟରେ ପୁଞ୍ଜି ଠୁଳ କରିବା ପ୍ରଚେଷ୍ଟା ରେ ପ୍ରତିଦ୍ବନ୍ଦୀ ଦେଖାଯାଇ ଥାଏ । ସରକାରଙ୍କୁ ପ୍ରଭାବିତ କରି ବିଭିନ୍ନ ଯୋଜନା ପ୍ରଣୟନ କରିବା ଦ୍ଵାରା ମୁନାଫା ଉପାର୍ଜନ ରେ ସହାୟକ ହୋଇଥାଏ। ଯାହା ଭାରତ ଭଳି ଏକ ସର୍ବ ବୃହତ୍ ଗଣତନ୍ତ୍ର ରେ ଆଜି ଦୃଶ୍ୟମାନ। 

ବିଶ୍ବ ଅର୍ଥାବ୍ୟାବସ୍ଥା ରେ ଭାରତ ପଞ୍ଚମ ସ୍ଥାନରେ ସ୍ଥାନିତ ହୋଇଥିଲେ ହେଁ ଦେଶରେ ଏବେ ବି ୨୫ଭାଗ ଲୋକ ଦାରିଦ୍ର୍ୟ ସୀମାରେଖା  ତଳେ ଅଛନ୍ତି, ୮୦କୋଟି ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ନିର୍ଭରଶୀଳ। ଶସ୍ୟ ଉତ୍ପାଦନ ରେ ବଳକା ଦେଶ ହୋଇଥିଲେ ହେଁ କ୍ଷୁଧା ସୁଚାକାଙ୍କରେ ସ୍ଥାନ ୧୦୧, ପରିବେଶ ସୁରକ୍ଷା ସୁଚକାଙ୍କ ରେ ସ୍ଥାନ ୧୩୫, ଖୁସି ସୁଚକାଙ୍କରେ ସ୍ଥାନ ୧୩୬, ସ୍ବାସ୍ଥ୍ୟ ସୁଚକାଙ୍କରେ ସ୍ଥାନ ୧୩୨, ଗୁଣାତ୍ମକ ପାନୀୟ ଜଳ ଯୋଗାଣ ସୂଚକାଙ୍କ ରେ ୧୨୦ତମ, ମାନବ ବିକାଶ ସୁଚାକାଙ୍କ ରେ ୧୩୨ ତମ ସ୍ଥାନରେ ରହିଛି। ଦେଶର ବେରୋଜଗାର ହାର ୭.୦% ଥିବା ବେଳେ ମୁଦ୍ରା ସ୍ଫିତୀ ହାର ୧୨.୪୧% ଓ ଖୁଚୁରା ଦର ବୃଦ୍ଧି ୭% ରହିଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୯.୬୯ ଟଙ୍କାକୁ ହ୍ରାସ ପାଇଛି। ବୈଦେଶିକ ଋଣ ଅହେତୁକ ବୃଦ୍ଧି ପାଇଛି। ଏସବୁ କୁ ଅନୁଧ୍ୟାନ କଲେ ଭାରତର ସ୍ଥିତି ଚିନ୍ତାଜନକ। ଯଦି ଏପରି ଏକ ଧୃବିକରଣ ପ୍ରକ୍ରିୟାରେ ବିଶ୍ବାସ ରଖି ଶାସନନୀତି ଚାଲେ ଦେଶ ତଥା ଦେଶବାସୀ ଙ୍କ ସମସ୍ୟା ଆଗକୁ ଆହୁରି ଘନୀଭୂତ ହେବ। ଏହିଁ ପରିସ୍ଥିତି ପାଇଁ କ୍ରୋନି କ୍ୟାପିଟାଲିଜିମ ଅନେକ ପରିମାଣ ରେ ଦାୟୀ। ଏଥିପାଇଁ ଏହାକୁ ବୁଝିବାକୁ ଓ ୟା ବିରୁଦ୍ଧରେ ଯୁଝିବାକୁ ହେବ।

ପୁଞ୍ଜିବାଦ ସର୍ବଦା ସମାଜବାଦ ଢାଙ୍କୁଣି ଘୋଡେ଼ଇ ହୋଇ ଆସେ। ଏଣୁ ଏହି ଛଦ୍ମ ରୂପୀ ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ରେ ଖୁସି ନହୋଇ କ୍ଷମତା ତଥା ପୁଞ୍ଜି କେଉଁବର୍ଗ ହାତ ରେ ଠୁଳ ହେଉଛି ଭାବିବାର ଆବଶ୍ୟକତା ରହିଛି। ନଚେତ୍ ପ୍ରଦୂଷିତ ମାଟି, ପାଣି, ପବନ, ଖାଦ୍ୟ ଭିତରେ ସଢ଼ି ଭବିଷ୍ୟତ ଜୀବନ ନିର୍ବାହ କରିବାକୁ ପଡ଼ିବ। ରାଜନୀତି ଓ ପୁଞ୍ଜିପତି ମିଶି ମୁନାଫା ସଂଗ୍ରହ ରେ ଲାଗିଥିବେ। ଏହା ନିଶ୍ଚିତ ଯେ, ଯେପର୍ଯ୍ୟନ୍ତ ଏକ ଶ୍ରେଣୀ ବିହୀନ ସମାଜ ଗଠନ କୁ ସିଦ୍ଧାନ୍ତ ଭାବେ ଗ୍ରହଣ ନ କରି କିମ୍ବା ଢାଞ୍ଚା ଗତ ପରିବର୍ତନ ପାଇଁ ସଂଘର୍ଷ ନକରି କେବଳ ସରକାର ବଦଳାଇ ଦେଲେ ସାଧାରଣ ଲୋକ ବା ବୃହତ୍ ଅଂଶ ଥିବା ଶ୍ରମିକ, ଚାଷୀ, ମୂଲିଆ ଙ୍କ ସ୍ଥିତି ରେ କୌଣସି ଆଖି ଦୃଷ୍ଟିଆ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ। କାଳିଆ, ବଳିଆ ଜୋତା ଛତା ଆହାର ବୀମା କାର୍ଡ ପ୍ରଦାନ, କିସାନ ସମ୍ମାନ ଭଳି ଯୋଜନାରେ ସାମାନ୍ୟ ଲାଘବ ହେବ ସିନା ସ୍ଥାୟୀ ଭାବରେ ସମାଧନ ହେବ ନାହିଁ।

ପୁଞ୍ଜିବାଦୀ ଉତ୍ପାଦନ ସନ୍ଦର୍ଭ ରେ କାର୍ଲ ମାର୍କସଙ୍କ ମତ ଗୁରୁତ୍ୱପୂର୍ଣ୍ଣ - "ମଣିଷ ଓ ପୃଥିବୀ ମଧ୍ୟରେ ଥିବା ଅନ୍ତଃ ସମ୍ପର୍କର ଜୀବନ୍ତ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରେ । ଉ. ସ୍ୱ - ମଣିଷର ଖାଦ୍ୟ ଓ ପୋଷାକ ଭାବେ ବ୍ୟବହୃତ ହେଉଥିବା ମୃତ୍ତିକା ର ବିଭିନ୍ନ ଉପାଦାନ ମାଟିକୁ ଫେରିବା ରେ ବାଧା ଦିଏ । ଫଳରେ ମୃତିକାର ଉର୍ବରତା ରକ୍ଷା ପାଇଁ ଆବଶ୍ୟକ ଅନ୍ତର୍ନିହିତ ପ୍ରାକୃତିକ କାର୍ଯ୍ୟକଳାପରେ ବାଧକ ହୁଏ । ପୁ଼ଞ୍ଜିବାଦୀ କୃଷିର ସମସ୍ତ ପ୍ରଗତି କାର୍ଯ୍ୟ କେବଳ ଶ୍ରମକୁ ଲୁଣ୍ଠନ କରେ ନାହିଁ ବରଂ ମାଟିକୁ ମଧ୍ୟ ଲୁଣ୍ଠନ କରିଥାଏ । ଶିଳ୍ପ ଉପରେ ଭିତ୍ତିକରି ଗୋଟିଏ ଦେଶ ଯେତେ ଅଧିକ ବିକଶିତ ହୁଏ, ଧ୍ୱଂସ ପ୍ରକ୍ରିୟା ସେତେ ଅଧିକ ତୀବ୍ର ହୋଇଥାଏ । ପୁଞ୍ଜିବାଦୀ ଉତ୍ପାଦନ ଏକ ସମୟରେ ସମସ୍ତ ସମ୍ପଦର ଉତ୍ସ – ମାଟି ଓ ଶ୍ରମ – କୁ ଅଣଦେଖା କରି ହିଁ ବିକାଶ ଲାଭ କରିଥାଏ ।”

                        ପ୍ରଫୁଲ୍ଲ କୁମାର ମିଶ୍ର,ଦଶପଲ୍ଲା

Post a Comment

Please Select Embedded Mode To Show The Comment System.*

Previous Post Next Post