ହିନ୍ଦୁ ଧର୍ମରେ ଷୋଡ଼ଷ ସଂସ୍କାର କ'ଣ ଜାଣନ୍ତୁ ....

ହିନ୍ଦୁ ଧର୍ମରେ ଷୋଡ଼ଷ ସଂସ୍କାର କ'ଣ ଜାଣନ୍ତୁ ....




ସନାତନ  ହିନ୍ଦୁ ଧର୍ମର ସଂସ୍କୃତି  " ସଂସ୍କାର "ଉପରେ ଆଧାରିତ।  ମୁନି ଋଷି ମାନେ ମାନବ ଜୀବନକୁ ପବିତ୍ର ଏବଂ ମର୍ଯ୍ୟାଦା ପୂର୍ଣ୍ଣ କରିବା ନିମନ୍ତେ ସଂସ୍କାର ର ଆବିଷ୍କାର କରିଥିଲେ। କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଆମ ଜୀବନରେ ସଂସ୍କାର ର ବିଶେଷ ମହତ୍ତ୍ଵ ରହିଛି। ଭାରତୀୟ ସଂସ୍କୃତିର ମହାନତା ରେ ଏହି ସଂସ୍କାର ଗୁଡ଼ିକର ମହତ୍ବ ଗୁରୁତ୍ବପୂର୍ଣ ଅଟେ |

ପ୍ରାଚୀନ କାଳରେ ଆମର ପ୍ରତ୍ୟେକ କାର୍ଯ୍ୟ ସଂସ୍କାର ରୁ ହିଁ ଆରମ୍ଭ ହେଉଥିଲା। ସେହି ସମୟରେ ସଂସ୍କାରର ସଂଖ୍ୟା ମଧ୍ୟ ପାଖାପାଖି ଚାଳିଶ ପ୍ରକାରର ଥିଲା। ସମୟ ବଦଳିବା ସଙ୍ଗେ ସଙ୍ଗେ ମଣିଷ ଜୀବନର ବ୍ୟସ୍ତତା ବୃଦ୍ଧି କାରଣରୁ କେତେକ ସଂସ୍କାର ସ୍ଵତଃ ବିଲୁପ୍ତ ହୋଇଗଲା। ଏହିପରି ସମୟ ଅନୁସାରେ ସଂଶୋଧିତ ହୋଇ ସଂସ୍କାରର ସଂଖ୍ୟା ନିର୍ଧାରିତ ହେବାକୁ ଲାଗିଲା। ଗୌତମ ସ୍ମୃତି ରେ ଚାଳିଶ ପ୍ରକାରର ସଂସ୍କାର ବିଷୟରେ ଉଲ୍ଲେଖ ରହିଛି। ମହର୍ଷି ଅଙ୍ଗିରା ଏଗୁଡ଼ିକର ଅନ୍ତର୍ଭାବ ପଚିଶ ଗୋଟି ସଂସ୍କାର ରେ କରିଛନ୍ତି। ବ୍ୟାସ ସ୍ମୃତିରେ ଷୋହଳ ଗୋଟି ସଂସ୍କାର ବିଷୟରେ ବର୍ଣ୍ଣନା କରାଯାଇଛି।ଆମ ଧର୍ମ ଶାସ୍ତ୍ରରେ ମଧ୍ୟ ମୂଖ୍ୟ ରୂପରେ ଷୋହଳ ଗୋଟି ସଂସ୍କାର ବିଷୟରେ ବ୍ୟାଖ୍ୟା କରାଯାଇଛି। ଏଥିରେ ପ୍ରଥମ ଗର୍ଭାଧାନ ସଂସ୍କାର ଏବଂ  ମୃତ୍ୟୁ ଉପରାନ୍ତ ଅନ୍ତ୍ୟେଷ୍ଟି ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ରହିଛି। ଗର୍ଭାଧାନ ପରେ ପୁଂସବନ, ସୀମନ୍ତୋନ୍ନୟନ, ଜାତକର୍ମ, ନାମକରଣ ଆଦି ସଂସ୍କାର ନବଜାତ ଶିଶୁ ର ଦୈବୀ ଜଗତ୍ ସହିତ ସମ୍ବନ୍ଧ ସ୍ଥାପନା ପାଇଁ କରାଯାଏ। ନାମକରଣ ପରେ ଚୂଡାକର୍ମ ଏବଂ ଯଜ୍ଞୋପବୀତ ସଂସ୍କାର କରାଯାଏ। ଏହା ପରେ ବିବାହ ସଂସ୍କାର କରାଯାଏ। ଏହା ଗୃହସ୍ଥ ଜୀବନର ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ‌ସଂସ୍କାର ଅଟେ। ହିନ୍ଦୁ ଧର୍ମର ସ୍ତ୍ରୀ ତଥା ପୁରୁଷ ମାନଙ୍କ ପାଇଁ ଏହା ସବୁଠାରୁ  ଏକ ବଡ଼ ସଂସ୍କାର ଅଟେ , ଯାହାକି ଜନ୍ମ ଜନ୍ମାନ୍ତର ପାଇଁ ହୋଇଥାଏ।

        ବିଭିନ୍ନ ଧର୍ମଗ୍ରନ୍ଥ ରେ ସଂସ୍କାର ଗୁଡ଼ିକର କ୍ରମରେ କିଛି ପ୍ରଭେଦ ରହିଛି, କିନ୍ତୁ ପ୍ରଚଳିତ ସଂସ୍କାର ଗୁଡ଼ିକର କ୍ରମରେ ଗର୍ଭାଧାନ, ପୁଂସବନ, ସୀମନ୍ତୋନ୍ନୟନ, ଜାତକର୍ମ, ନାମକରଣ, ବହିଃନିଷ୍କ୍ରମଣ, ଅନ୍ନପ୍ରାଶନ, ଚୂଡାକର୍ମ, ବିଦ୍ୟାରମ୍ଭ, କର୍ଣ୍ଣବେଧ, ଯଜ୍ଞୋପବୀତ, ବେଦାରମ୍ଭ, କେଶାନ୍ତ, ସମାବର୍ତ୍ତନ, ବିବାହ ତଥା ଅନ୍ତ୍ୟେଷ୍ଟି ର ମାନ୍ୟତା ରହିଛି।

          ଗର୍ଭାଧାନ ଠାରୁ ବିଦ୍ୟାରମ୍ଭ ପର୍ଯ୍ୟନ୍ତ ସଂସ୍କାର ଗୁଡ଼ିକୁ ଗର୍ଭ ସଂସ୍କାର ମଧ୍ୟ କୁହାଯାଏ। ଏଥିରେ ପ୍ରଥମେ ତିନୋଟି (ଗର୍ଭାଧାନ, ପୁଂସବନ, ସୀମନ୍ତୋନ୍ନୟନ) କୁ ଅନ୍ତର୍ଗର୍ଭ ସଂସ୍କାର ତଥା ଏହା ପରେ ଥିବା ସଂସ୍କାର ଗୁଡ଼ିକୁ ଵହିର୍ଗର୍ଭ ସଂସ୍କାର କୁହାଯାଏ। ଗର୍ଭ ସଂସ୍କାର କୁ ଦୋଷ ମାର୍ଜନ ଅଥବା ଶୋଧକ ସଂସ୍କାର ମଧ୍ୟ କୁହାଯାଏ। ଦୋଷ ମାର୍ଜନ ସଂସ୍କାର ର ଅର୍ଥ ହେଉଛି ଶିଶୁ ର ପୂର୍ବ ଜନ୍ମରୁ ଆସିଥିବା ଧର୍ମ ଏବଂ କର୍ମ ସମ୍ବନ୍ଧିତ ଦୋଷ ତଥା ଗର୍ଭରୁ ଆସିଥିବା ବିକୃତି ପ୍ରଭୃତିର ମାର୍ଜନ କରିବାପାଇଁ ସଂସ୍କାର କରାଯାଏ। ଅନ୍ୟ ଛଅ ଗୋଟି ସଂସ୍କାର ଗୁଡ଼ିକୁ ଗୁଣାଧାନ ସଂସ୍କାର କୁହାଯାଏ। ଦୋଷ ମାର୍ଜନ କରିବା ପରେ ମନୁଷ୍ୟ ର ସପ୍ତ ଗୁଣର ଅଭିବୃଦ୍ଧି କରିବାପାଇଁ ଏହି ସଂସ୍କାର କରାଯାଏ।

           ମୁନି ଋଷି ମାନେ ଆମକୁ ସୁ ସଂକୃତ ତଥା ସାମାଜିକ କରିବା ପାଇଁ ବହୁ ପରୀକ୍ଷା ଏବଂ ପ୍ରଚେଷ୍ଟା କରି ଏହି ସଂସ୍କାର କୁ ସ୍ଥାପିତ କରିଛନ୍ତି। ଏହି ସଂସ୍କାର ଗୁଡ଼ିକ ପାଇଁ ଭାରତୀୟ ସଂସ୍କୃତି ଅଦ୍ଵିତୀୟ ହୋଇପାରିଛି। ଯଦିଓ ଏହି କିଛିବର୍ଷ ଧରି ଉନ୍ନତି ଅବନତି ଏବଂ ଅତିବ୍ୟସ୍ତତା କାରଣରୁ ସନାତନ ଧର୍ମାବଲମ୍ବୀ ଏହାର ମୂଲ୍ୟକୁ ଭୁଲି ଯାଉଛନ୍ତି ଏବଂ ଏହାର ପରିଣାମ ସ୍ଵରୂପ ଚାରିତ୍ରିକ ସ୍ଖଳନ, ସମ୍ବେଦନହୀନତା, ଅସାମାଜିକତା ଏବଂ ଗୁରୁଜନ ମାନଙ୍କୁ ଅବଜ୍ଞା ବା ଅନୁଶାସନ ହୀନତା ଭଳି କୁସଂସ୍କାର ଦେଖିବାକୁ ମିଳୁଛି।

          ସମୟ ବଦଳିବା ସହ ପରିବର୍ତ୍ତନ ଜରୁରୀ ଅଟେ କିନ୍ତୁ ଆମ ମୁନି ଋଷି ମାନଙ୍କ ଦ୍ଵାରା ସ୍ଥାପିତ ମୂଳ ଭୂତ ସିଦ୍ଧାନ୍ତ ଗୁଡ଼ିକ ନ ମାନିବା ଆମ ପକ୍ଷେ ଶ୍ରେୟସ୍କର  ନୁହେଁ ।

ଆସନ୍ତୁ  , କ୍ରମାନୁସାରେ ସଂସ୍କାରଗୁଡିକ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିବା ।

୧- ଗର୍ଭାଧାନ, ୨- ପୁଂସବନ, ୩- ସୀମନ୍ତୋନ୍ନୟନ, ୪- ଜାତକର୍ମ, ୫- ନାମକରଣ, ୬- ବହିଃନିଷ୍କ୍ରମଣ , ( ନିଷ୍କ୍ରମଣ), ୭- ଅନ୍ନପ୍ରାଶନ, ୮- ଚୂଡାକର୍ମ, ୯- ବିଦ୍ୟାରମ୍ଭ, ୧୦- କର୍ଣ୍ଣବେଧ, ୧୧- ଯଜ୍ଞୋପବୀତ, ୧୨- ବେଦାରମ୍ଭ, ୧୩- କେଶାନ୍ତ, ୧୪- ସମାବର୍ତ୍ତନ, ୧୫- ବିବାହ, ୧୬- ଅନ୍ତ୍ୟେଷ୍ଟି |

୧- ଗର୍ଭାଧାନ

       ଆମ ଶାସ୍ତ୍ର ଅନୁସାରେ ଷୋହଳ ସଂସ୍କାର ମଧ୍ୟରେ ଗର୍ଭାଧାନ ପ୍ରଥମ ଅଟେ। ଗୃହସ୍ଥ ଜୀବନରେ ପ୍ରବେଶ କରିବା ପରେ ପ୍ରଥମ କର୍ତ୍ତବ୍ୟ ରୂପରେ ଏହି ସଂସ୍କାର କୁ ମାନ୍ୟତା ଦିଆଯାଇଛି। ଗାର୍ହସ୍ଥ୍ୟ ଜୀବନର ପ୍ରମୁଖ ଉଦ୍ଦେଶ୍ୟ ଶ୍ରେଷ୍ଠ ସନ୍ତାନ ଉତ୍ପତ୍ତି ଅଟେ। ଉତ୍ତମ ସନ୍ତାନ ଉତ୍ପତ୍ତି ଇଛୁକ ମାତା ପିତାଙ୍କୁ ଗର୍ଭାଧାନ ପୂର୍ବରୁ ନିଜର ମନ ଏବଂ ଶରୀରକୁ ପବିତ୍ର କରିବା ପାଇଁ ଏହି ସଂସ୍କାର କରିବା ଉଚିତ। ବୈଦିକ କାଳରେ ଏହି ସଂସ୍କାର କୁ ଅତି ମହତ୍ତ୍ବପୂର୍ଣ୍ଣ ମାନୁଥିଲେ।

୨- ପୁଂସବନ

       ଗର୍ଭସ୍ଥ ଶିଶୁର ମାନସିକ ବିକାଶ ପାଇଁ ଏହି ସଂସ୍କାର ଉପଯୋଗୀ ଅଟେ। ଗର୍ଭାଧାନ ର ଦ୍ଵିତୀୟ ଅଥବା ତୃତୀୟ ମାସରେ ଏହି ସଂସ୍କାର କରିବାର ବିଧାନ ରହିଛି। ମୁନି ଋଷି ମାନେ ସନ୍ତାନୋତ୍କର୍ଷ ଉଦ୍ଦେଶ୍ୟରେ କରାଯାଉଥିବା ଏହି ସଂସ୍କାର କୁ ଅନିର୍ବାଯ୍ୟ ବୋଲି କହିଛନ୍ତି। ଗର୍ଭସ୍ଥ ଶିଶୁ ସମ୍ବନ୍ଧିତ ଏହି ସଂସ୍କାର କୁ ଶୁଭ ନକ୍ଷତ୍ର ରେ ଉତ୍ପନ୍ନ କରାଯାଏ। ସୁସ୍ଥ ଏବଂ ଉତ୍ତମ ସନ୍ତାନ ଉତ୍ପତ୍ତି ପାଇଁ ଏହି ପୁଂସବନ ସଂସ୍କାରର ପ୍ରୟୋଜନ ରହିଛି। ବିଶେଷ ତିଥି ଏବଂ ଗ୍ରହ ଗଣନା କରି ଗର୍ଭାଧାନ ସଂସ୍କାର କରିବା ଉଚିତ।

୩-ସୀମନ୍ତୋନ୍ନୟନ

       ସୀମନ୍ତୋନ୍ନୟନ କୁ ସୀମନ୍ତକରଣ ଅଥବା ସୀମନ୍ତ ସଂସ୍କାର ମଧ୍ୟ କୁହାଯାଏ। ସୀମନ୍ତୋନ୍ନୟନ ର ଅଭିପ୍ରାୟ ସୌଭାଗ୍ୟ ସମ୍ପନ୍ନ ହେବା। ଗର୍ଭପାତ ନକରି ଗର୍ଭସ୍ଥ ଶିଶୁ ଏବଂ ମାଆର ସୁରକ୍ଷା କରିବା ଏହି ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଏହି ସଂସ୍କାର ମାଧ୍ୟମରେ ଗର୍ଭିଣୀ ସ୍ତ୍ରୀ ର ମନକୁ ପ୍ରସନ୍ନ ରଖିବା ପାଇଁ ସୌଭାଗ୍ୟବତୀ ସ୍ତ୍ରୀଲୋକମାନେ ଗର୍ଭବତୀ ର ମଥାରେ ସିନ୍ଦୂର ଲଗେଇ ଥାଆନ୍ତି। ଏହି ସଂସ୍କାର ଗର୍ଭଧାରଣ ର ଷଷ୍ଠ ଅଥବା ଅଷ୍ଟମ ମାସରେ କରାଯାଇଥାଏ।

୪- ଜାତକର୍ମ

       ନବଜାତ ଶିଶୁର ନାଡ ଛେଦନ କରିବା ପୂର୍ବରୁ ଏହି ସଂସ୍କାର କରିବାର ବିଧାନ ରହିଛି। ଏହି ଦୈବୀ ଜଗତ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ଆସୁଥିବା ବାଳକର ବୁଦ୍ଧି,ବଳ ଏବଂ ଦୀର୍ଘ ଆୟୁଷ ନିମନ୍ତେ ସ୍ଵର୍ଣ୍ଣ ଖଣ୍ଡରେ ମହୁ ଏବଂ ଘିଅ ଚଟାଇ ଦିଆଯାଏ ଏହା ସହିତ ବୈଦିକ ମନ୍ତ୍ର ମଧ୍ୟ ଉଚ୍ଚାରଣ କରାଯାଇଥାଏ। ଏହି ସଂସ୍କାର ବିଶେଷ ମନ୍ତ୍ର ଏବଂ ବିଧି ପୂର୍ବକ କରାଯାଇଥାଏ। ଦୁଇ ଟୋପା ଘିଅ ଏବଂ ଛଅ ଟୋପା ମହୁକୁ ମିଶାଇ ଅଭିମନ୍ତ୍ରିତ କରି ଚଟାଇବା ପରେ ନବଜାତ ଶିଶୁ ର ପିତା ବିଶେଷ ରୂପରେ ମନ୍ତ୍ରୋଚ୍ଚାରଣ କରି ଯଜ୍ଞ କରିଥାନ୍ତି ଏବଂ ନବଜାତ ଶିଶୁ ବୁଦ୍ଧିମାନ, ବଳବାନ,ସୁସ୍ଥ ଏବଂ ଦୀର୍ଘଜୀବି ହେବା ପାଇଁ ପ୍ରାର୍ଥନା କରିଥାନ୍ତି। ଏହା ପରେ ମାତା ବାଳକକୁ ସ୍ତନ୍ୟପାନ କରାଇଥାନ୍ତି।

୫- ନାମକରଣ

        ଶିଶୁ ଜନ୍ମ ହେବାର ଏକାଦଶ ଦିନ ଏହି ସଂସ୍କାର କରାଯାଇଥାଏ। ଆମ ଧର୍ମରେ ଆଚାର୍ଯ୍ୟ ମାନେ ଜନ୍ମ ଠାରୁ ଦଶଦିନ ପର୍ଯ୍ୟନ୍ତ ଅଶୌଚ (ସୂତକ) ପାଳନ କରିବା ଉଚିତ ବୋଲି କହିଛନ୍ତି। ତେଣୁ ଏହି ସଂସ୍କାର ଏକାଦଶ ଦିନ କରିବାର ବିଧାନ ରହିଛି। ମହର୍ଷି ଯାଜ୍ଞବଳ୍କ୍ୟ ମଧ୍ୟ ଏହି ମତ ପ୍ରଦାନ କରିଛନ୍ତି। କିନ୍ତୁ କେତେକ କର୍ମକାଣ୍ଡୀ ବିଦ୍ୱାନ୍ ଏହି ସଂସ୍କାର କୁ ଶୁଭ ନକ୍ଷତ୍ର ଅଥବା ଶୁଭ ଦିନରେ କରାଯିବା ଉଚିତ ହେବ ବୋଲି ମତ ପ୍ରଦାନ କରିଛନ୍ତି। 
           ସନାତନ ଧର୍ମରେ ନାମକରଣ ସଂସ୍କାର ର ଅଧିକ ମହତ୍ତ୍ଵ ରହିଛି। ମୁନି ଋଷି ମାନେ ନାମର ପ୍ରଭାବ ଅଧିକ ରହିଛି ବୋଲି କହିଛନ୍ତି କାରଣ ଏହା ବ୍ୟକ୍ତିତ୍ଵ ବିକାଶରେ ସହାୟକ ହୋଇଥାଏ। ସେଥିପାଇଁ କୁହାଯାଇଛି ରାମଙ୍କ ଠାରୁ ବଡ଼ ରାମଙ୍କ ନାମ। ଆମ ଧର୍ମ ବୈଜ୍ଞାନିକ ମାନେ ବହୁ ପରୀକ୍ଷା ପରେ ନାମକରଣ ସଂସ୍କାର ର ଆବିଷ୍କାର କରିଛନ୍ତି। ଜ୍ୟୋତିଷ ବିଜ୍ଞାନରେ ନାମକୁ ଆଧାର କରି ଭବିଷ୍ୟତର ରୂପରେଖ ବିଷୟରେ ଉଲ୍ଲେଖ କରାଯାଇଥାଏ।

୬- ନିଷ୍କ୍ରମଣ

     ଦୈବୀ ଜଗତ ସହିତ ଶିଶୁର ସମ୍ପର୍କ ବୃଦ୍ଧି ତଥା ବ୍ରହ୍ମାଙ୍କ ସୃଷ୍ଟି ସହିତ ସେ ଭଲଭାବରେ ପରିଚିତ ହୋଇ ଦୀର୍ଘ କାଳ ପର୍ଯ୍ୟନ୍ତ ଧର୍ମ ଏବଂ ମର୍ଯ୍ୟାଦା ରକ୍ଷା କରିବା ସହିତ ଏହି ମର୍ତ୍ତ୍ୟଲୋକରେ ଭୋଗ କରିବ,  ଏହାହିଁ ଏହି ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ। ନିଷ୍କ୍ରମଣ ର ଅଭିପ୍ରାୟ ହେଉଛି ବାହାରକୁ ବାହାରିବା। ଏହି ସଂସ୍କାର ରେ ଶିଶୁକୁ ସୂର୍ଯ୍ୟ ତଥା ଚନ୍ଦ୍ରମା ର ଜ୍ୟୋତି ଦେଖାଇବାର ବିଧାନ ରହିଛି। ଭଗବାନ୍ ଭାସ୍କରଙ୍କ ତେଜ ତଥା ଚନ୍ଦ୍ରମା ର ଶୀତଳତା କୁ ଶିଶୁକୁ ଅବଗତ କରାଇବା ହେଉଛି ଏହାର ଉଦ୍ଦେଶ୍ୟ। ଏହା ପଛରେ ମୁନି ଋଷି ମାନଙ୍କର ଶିଶୁକୁ ତେଜସ୍ଵୀ ତଥା ବିନମ୍ର କରାଯିବାର ପରିକଳ୍ପନା ହୋଇଥିବ। ସେହି ଦିନ ଦେବୀ ଦେବତା ମାନଙ୍କର ଦର୍ଶନ ତଥା ତାଙ୍କ ଠାରୁ ଶିଶୁର ଦୀର୍ଘ ଏବଂ ଯଶସ୍ବୀ ଜୀବନର ଆଶୀର୍ବାଦ ଗ୍ରହଣ କରାଯାଇଥାଏ।ଜନ୍ମର ଚତୁର୍ଥ ମାସ ଏହି ସଂସ୍କାର କରିବାର ବିଧାନ ରହିଛି। ତିନି ମାସ ପର୍ଯ୍ୟନ୍ତ ଶିଶୁର ଶରୀର ବାହ୍ୟ ବାତାବରଣ ଯଥା ତୀବ୍ର ଖରା, ତୀବ୍ର ପବନ ଆଦିର ଅନୁକୂଳ ହୋଇ ନଥାଏ ସେଥିପାଇଁ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଶିଶୁକୁ ବହୁ ସାବଧାନତାର ସହିତ ଘରେ ରଖିବା ଉଚିତ। ଏହା ପରେ ଧୀରେ ଧୀରେ ଶିଶୁକୁ ବାହ୍ୟ ବାତାବରଣ ସମ୍ପର୍କରେ ଆଣିବା ଉଚିତ। ଏହି ସଂସ୍କାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁକୁ ସମାଜ ସମ୍ପର୍କରେ ଆଣି ସାମାଜିକ ପରିସ୍ଥିତି ବିଷୟରେ ଅବଗତ କରାଇବା।

୭- ଅନ୍ନପ୍ରାଶନ 

ଏହି ସଂସ୍କାରର ଉଦ୍ଦେଶ୍ୟ ହେଉଛି ଶିଶୁର ଶାରୀରିକ ଓ ମାନସିକ ବିକାଶ ଉପରେ ଗୁରୁତ୍ବ ଦେବା। ଅନ୍ନପ୍ରାଶନ ର ସ୍ପଷ୍ଟ ଅର୍ଥ ହେଉଛି, ଶିଶୁର ଶାରୀରିକ ତଥା ମାନସିକ ରୂପରେ ବଳବାନ ଏବଂ ବୁଦ୍ଧିମାନ ତିଆରି କରିବା ପାଇଁ ଶିଶୁର ପେୟ ପଦାର୍ଥ କ୍ଷୀର ପ୍ରତିବଦଳରେ  ଶାସ୍ତ୍ରରେ ପ୍ରାଣ ବୋଲି କୁହାଯାଉଥିବା ଅନ୍ନକୁ ଗ୍ରହଣ କରାଯିବା। ଶରୀର ଏବଂ ମନକୁ ସୁଦୃଢ କରିବା ପାଇଁ ଅନ୍ନର ସର୍ବାଧିକ ଯୋଗଦାନ ରହିଛି। ଶୁଦ୍ଧ,ସାତ୍ବିକ ଏବଂ ପୌଷ୍ଟିକ ଆହାର ଦ୍ଵାରା ଶରୀର ସୁସ୍ଥ ରହେ ଏବଂ ସୁସ୍ଥ ଶରୀରରେ ସୁସ୍ଥ ମନ ନିବାସ କରିଥାଏ। ଆହାର ଶୁଦ୍ଧ ହେଲେ ଅନ୍ତଃକରଣ ଶୁଦ୍ଧ ହୋଇଥାଏ ତଥା ମନ, ବୁଦ୍ଧି,ଆତ୍ମା ସମସ୍ତଙ୍କର ପୋଷଣ ହୋଇଥାଏ। ଏଥିପାଇଁ ଆମ ଜୀବନରେ ଏହି ସଂସ୍କାରର ବିଶେଷ ମହତ୍ତ୍ଵ ରହିଛି। 

ଧର୍ମାଚାର୍ଯ୍ୟ ମାନେ ଜନ୍ମର ଷଷ୍ଠ ମାସକୁ ଅନ୍ନପ୍ରାଶନ ର ଉପଯୁକ୍ତ ସମୟ ବୋଲି ମତ ପ୍ରଦାନ କରିଛନ୍ତି।ଷଷ୍ଠ ମାସରେ ଶୁଭ ନକ୍ଷତ୍ର ଏବଂ ଶୁଭ ଦିନରେ ଏହି ସଂସ୍କାର କରିବା ଉଚିତ। କ୍ଷୀର ଏବଂ ମିଷ୍ଟାନ୍ନରେ ଶିଶୁ ର ଅନ୍ନଗ୍ରହଣକୁ ଶୁଭ ବୋଲି କୁହାଯାଇଛି। ' ଅମୃତଃ କ୍ଷୀରଭୋଜନମ୍ ' ଆମ ଶାସ୍ତ୍ରରେ କ୍ଷୀରକୁ ଅମୃତ ସମାନ ଉତ୍ତମ ବୋଲି କୁହାଯାଇଛି। 

୮-ଚୂଡାକର୍ମ 

        ଚୂଡାକର୍ମ କୁ ମୁଣ୍ଡନ ସଂସ୍କାର ମଧ୍ୟ କୁହାଯାଏ। ଆମର ଆଚାର୍ଯ୍ୟ ମାନେ ବାଳକର ପ୍ରଥମ, ତୃତୀୟ କିମ୍ବା ପଞ୍ଚମ ବର୍ଷରେ ଏହି ସଂସ୍କାର କରିବାର ବିଧାନ ରହିଛି ବୋଲି କହିଛନ୍ତି।ଏହି ସଂସ୍କାର କରିବା ଦ୍ଵାରା ଶୁଚି ଏବଂ ବୌଦ୍ଧିକ ବିକାଶ ହେବାର ପରିକଳ୍ପନା ମୁନି ଋଷି ମାନଙ୍କ ମନରେ ଥିଲା। ମୁଣ୍ଡନ ସଂସ୍କାରର ଅଭିପ୍ରାୟ ହେଉଛି, ଜନ୍ମ ସମୟରେ ଉତ୍ପନ୍ନ ହୋଇଥିବା ଅପବିତ୍ର ବାଳକୁ କାଟିଦେବା। ନଅ ମାସ ପର୍ଯ୍ୟନ୍ତ ଗର୍ଭରେ ଥିବା ସମୟରେ କେତେକ ଦୂଷିତ କିଟାଣୁ ସେହି ବାଳରେ ଥାଏ। ମୁଣ୍ଡନ ସଂସ୍କାର ଦ୍ଵାରା ଏଗୁଡ଼ିକ ସବୁ ପରିଷ୍କାର ହୋଇଯାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସଂସ୍କାର କୁ ଶୁଭ ମୁହୂର୍ତ୍ତରେ କରିବାର ବିଧାନ ରହିଛି। ବୈଦିକ ମନ୍ତ୍ରୋଚ୍ଚାରଣ ସହିତ ଏହି ସଂସ୍କାର ସମ୍ପନ୍ନ ହୋଇଥାଏ।

୯- ବିଦ୍ୟାରମ୍ଭ 

           ବିଦ୍ୟାରମ୍ଭ ସଂସ୍କାର ର କ୍ରମ ବିଷୟରେ ଆଚାର୍ଯ୍ୟ ମାନଙ୍କର ମତ ଭିନ୍ନତା ପରିଲକ୍ଷିତ ହୁଏ। କେତେକ ଆଚାର୍ଯ୍ୟଙ୍କ ମତରେ ଅନ୍ନପ୍ରାଶନ ପରେ ବିଦ୍ୟାରମ୍ଭ ସଂସ୍କାର କରାଯିବା ଉଚିତ ତ ଆଉ କେତେକଙ୍କ ମତରେ ଚୂଡାକର୍ମ ପରେ ଏହି ସଂସ୍କାର କରିବା ଉଚିତ। ମୋ ମତରେ ଅନ୍ନପ୍ରାଶନ ସମୟରେ ଶିଶୁ କଥା କହିବା ଆରମ୍ଭ କରି ନଥାଏ ଏବଂ ଚୂଡାକର୍ମ ପର୍ଯ୍ୟନ୍ତ ଶିଶୁ ମନରେ ଶିଖିବାର ପ୍ରବୃତ୍ତି ଜାଗୃତ ହୋଇଥାଏ। ଏଥିପାଇଁ ଚୂଡାକର୍ମ ପରେ ବିଦ୍ୟାରମ୍ଭ ସଂସ୍କାର କରାଯିବା ଉପଯୁକ୍ତ ବୋଲି ମନେହୁଏ। ବିଦ୍ୟାରମ୍ଭ ର ଅଭିପ୍ରାୟ ହେଉଛି, ବାଳକକୁ ଶିକ୍ଷାର ପ୍ରାରମ୍ଭିକ ସ୍ତର ବିଷୟରେ ପରିଚିତ କରାଇବା। ପ୍ରାଚୀନ କାଳରେ ଯେତେବେଳେ ଗୁରୁକୁଳ ପରମ୍ପରା ଥିଲା ବିଦ୍ୟା ଅଧ୍ୟୟନ ପାଇଁ ପଠାଇବା ପୂର୍ବରୁ ପ୍ରଥମେ ଗୃହରେ ବାଳକକୁ ଅକ୍ଷର ବିଷୟରେ ଜ୍ଞାତ କରାଯାଉଥିଲା। ପିତା- ମାତା ତଥା ଗୁରୁଜନ ପ୍ରଥମେ ବାଳକକୁ ମୌଖିକ ରୂପରେ ଶ୍ଳୋକ, ପୌରାଣିକ କାହାଣୀ ଆଦି ର ଅଭ୍ୟାସ କରାଉଥିଲେ ଯାହାଦ୍ଵାରା ଗୁରୁକୁଳରେ କୌଣସି ପ୍ରକାର କଷ୍ଟ ହେଉନଥିଲା। ଆମ ଶାସ୍ତ୍ର ବିଦ୍ୟା ଅନୁରାଗୀ ଅଟେ। ଶାସ୍ତ୍ରର ଉକ୍ତି ହେଉଛି ' ସା ବିଦ୍ୟା ଯା ବିମୁକ୍ତୟେ ' ଅର୍ଥାତ୍ ଯିଏ ମୁକ୍ତି ପ୍ରଦାନ କରିବାରେ ସହାୟକ ହୁଏ ତାହାକୁ ବିଦ୍ୟା ବୋଲି କୁହାଯାଏ। ବିଦ୍ୟା ଅଥବା ଜ୍ଞାନ ମନୁଷ୍ୟର ଆତ୍ମିକ ଉନ୍ନତି ର ସାଧନ ଅଟେ। ଶୁଭ ମୂହୁର୍ତ୍ତ ଧାର୍ଯ୍ୟ କରି ବିଦ୍ୟାରମ୍ଭ ସଂସ୍କାର କରାଯିବା ଉଚିତ। 

୧୦- କର୍ଣ୍ଣବେଧ 

       ମୁନି ଋଷି ମାନେ ସମସ୍ତ ସଂସ୍କାର ଗୁଡ଼ିକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ପରୀକ୍ଷା କରି ସାରିବା ପରେ ଯାଇ ଏହାର ଉପସ୍ଥାପନା କରିଛନ୍ତି। କର୍ଣ୍ଣବେଧ ସଂସ୍କାର ର ଆଧାର ସମ୍ପୂର୍ଣ୍ଣ ରୂପେ ବିଜ୍ଞାନ ସମ୍ମତ ଅଟେ। ବାଳକକୁ ଶାରୀରିକ ରୋଗରୁ ରକ୍ଷା କରିବା ଏହି ସଂସ୍କାରର ମୂଳ ଉଦ୍ଦେଶ୍ୟ ଅଟେ। ପ୍ରକୃତି ପ୍ରଦତ୍ତ ଏହି ଶରୀରର ସମସ୍ତ ଅଙ୍ଗ ମହତ୍ତ୍ବପୂର୍ଣ୍ଣ ଅଟେ। କାନ ଆମର ଶ୍ରବଣ ର ଦ୍ଵାର ଅଟେ। କର୍ଣ୍ଣ ବେଧ ଦ୍ଵାରା ରୋଗ ଗୁଡିକ ଦୂର ହୋଇଥାଏ ତଥା ଶ୍ରବଣ ଶକ୍ତି ର ବୃଦ୍ଧି ହୋଇଥାଏ। ଏଥି ସହିତ କାନର ଆଭୂଷଣ ମଧ୍ୟ ଆମର ସୌନ୍ଦର୍ଯ୍ୟ ବୃଦ୍ଧିର ପରିଚାୟକ ଅଟେ। 

୧୧- ଯଜ୍ଞୋପବୀତ 

        ଯଜ୍ଞୋପବୀତ ଅଥବା ଉପନୟନ ସଂସ୍କାର ବୌଦ୍ଧିକ ବିକାଶ ପାଇଁ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ‌ ଅଟେ। ଧାର୍ମିକ ଏବଂ ଆଧ୍ୟାତ୍ମିକ ଉନ୍ନତି ଏହି ସଂସ୍କାର ରେ ପୂର୍ଣ୍ଣ ରୂପରେ ସମାବେଶ ହୋଇଛି। ମୁନି ଋଷି ମାନେ ଏହି ସଂସ୍କାର ମାଧ୍ୟମରେ ବେଦମାତା ଗାୟତ୍ରୀ କୁ ଆତ୍ମସାତ କରିବା ପାଇଁ ନିୟମ କରିଛନ୍ତି। ଆଧୁନିକ ଯୁଗରେ ମଧ୍ୟ ଗାୟତ୍ରୀ ମନ୍ତ୍ର ଉପରେ ବିଶେଷ ପରୀକ୍ଷା କରାଯାଇଛି। ଗାୟତ୍ରୀ ସର୍ବାଧିକ ଶକ୍ତିଶାଳୀ ମନ୍ତ୍ର ଅଟେ।

" ଯଜ୍ଞୋପବୀତଂ ପରମଂ ପବିତ୍ରଂ " ଅର୍ଥାତ୍ ଯଜ୍ଞୋପବୀତ ଯାହାକୁ ଯଜ୍ଞସୂତ୍ର ମଧ୍ୟ କୁହାଯାଏ ଅତ୍ୟନ୍ତ ପବିତ୍ର ଅଟେ। ପ୍ରଜାପତି ଏହାକୁ ସ୍ଵାଭାବିକ ରୂପରେ ନିର୍ମାଣ କରିଛନ୍ତି। ଏହି ସଂସ୍କାର ଆୟୁଷ ବୃଦ୍ଧି କାରକ,ବଳ ଏବଂ ଶକ୍ତି ପ୍ରଦାନ କାରକ ଅଟେ। ଏହି ସଂସ୍କାର ବିଷୟରେ ଆମ ଧର୍ମ ଶାସ୍ତ୍ରରେ ବିଶେଷ ଉଲ୍ଲେଖ ରହିଛି। ଯଜ୍ଞୋପବୀତ ଧାରଣ ର ବୈଜ୍ଞାନିକ ମହତ୍ତ୍ଵ ମଧ୍ୟ ରହିଛି। ପ୍ରାଚୀନ କାଳରେ ଯେତେବେଳେ ଗୁରୁକୁଳ ପରମ୍ପରା ଥିଲା ସେହି ସମୟରେ ପ୍ରାୟ ଅଷ୍ଟମ ବର୍ଷରେ ଯଜ୍ଞୋପବୀତ ସଂସ୍କାର କରାଯାଉଥିଲା। ଏହା ପରେ ବାଳକ ଅଧ୍ୟୟନ ପାଇଁ ଗୁରୁକୁଳକୁ ଯାଉଥିଲା। ଯଜ୍ଞୋପବୀତ ଦ୍ଵାରା ବାଳକକୁ ବ୍ରହ୍ମଚର୍ଯ୍ୟ ଦୀକ୍ଷା ଦିଆଯାଉଥିଲା ଯାହାର ପାଳନ ଗୃହସ୍ଥାଶ୍ରମକୁ ଆସିବା ପର୍ଯ୍ୟନ୍ତ ପାଳନ କରାଯାଉଥିଲା। ଏହି ସଂସ୍କାରର ଉଦ୍ଦେଶ୍ୟ ସଂଯମିତ ଜୀବନ ସହିତ ଆତ୍ମିକ ବିକାଶ ରେ ଉନ୍ନତି କରିବା ପାଇଁ ବାଳକକୁ ପ୍ରେରିତ କରିବା ।

୧୨- ବେଦାରମ୍ଭ 

       ଏହି ସଂସ୍କାର ଜ୍ଞାନାର୍ଜନ ସହିତ ସମ୍ବନ୍ଧିତ ଅଟେ। ବେଦ ର ଅର୍ଥ ହେଉଛି ଜ୍ଞାନ।  ଏହି ସଂସ୍କାରର ଉଦ୍ଦେଶ୍ୟ ହେଉଛି, ବେଦାରମ୍ଭ ମାଧ୍ୟମରେ ବାଳକ ଜ୍ଞାନକୁ ନିଜ ମଧ୍ୟରେ ସମାବେଶ କରିବା ପ୍ରାରମ୍ଭ କରିବା। ଶାସ୍ତ୍ରରେ କୁହାଯାଇଛି, ଜ୍ଞାନ ଠାରୁ ବଳି ଅନ୍ୟ କୌଣସି ଦ୍ଵିତୀୟ ପ୍ରକାଶ ନାହିଁ। ଏଥିରୁ ସ୍ପଷ୍ଟ ହୁଏ ଯେ, ପ୍ରାଚୀନ କାଳରେ ଏହି ସଂସ୍କାରର ମନୁଷ୍ୟ ଜୀବନରେ ବିଶେଷ ମହତ୍ତ୍ଵ ଥିଲା। ଯଜ୍ଞୋପବୀତ ପରେ ବାଳକ ମାନଙ୍କୁ ବେଦର ଅଧ୍ୟୟନ ଏବଂ ବିଶିଷ୍ଟ ଜ୍ଞାନାର୍ଜନ ପାଇଁ ଯୋଗ୍ୟ ଆଚାର୍ଯ୍ୟଙ୍କ ପାଖକୁ ପଠାଇ ଦିଆଯାଉଥିଲା। ବେଦାରମ୍ଭ ପୂର୍ବରୁ ଆଚାର୍ଯ୍ୟ ନିଜର ଶିଷ୍ୟ ମାନଙ୍କୁ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ପାଇଁ ଏବଂ ସଂଯମିତ ଜୀବନ ନିର୍ବାହ କରିବା ପାଇଁ ପ୍ରତିଜ୍ଞା କରାଉଥିଲେ ତଥା ସେମାନଙ୍କୁ ପରୀକ୍ଷା କରିସାରିବା ପରେ ଯାଇ ବେଦାଧ୍ୟୟନ କରାଉଥିଲେ। ଅସଂଯମିତ ଜୀବନ ନିର୍ବାହକାରୀ ମାନଙ୍କୁ ବେଦାଧ୍ୟୟନର ଅଧିକାରୀ ବୋଲି ମାନା ଯାଉନଥିଲା। ଆମର ଚାରିଗୋଟି ବେଦ ଜ୍ଞାନର ଅକ୍ଷୁର୍ଣ୍ଣ ଭଣ୍ଡାର ଅଟେ।

୧୩- କେଶାନ୍ତ 

ଗୁରୁକୁଳରେ ବେଦାଧ୍ୟୟନ ସମାପ୍ତ କରିବା ପରେ ଆଚାର୍ଯ୍ୟଙ୍କ ସମ୍ମୁଖରେ ଏହି ସଂସ୍କାର ସମ୍ପନ୍ନ କରାଯାଉଥିଲା। ବସ୍ତୁତଃ ଏହି ସଂସ୍କାର ଗୁରୁକୁଳରୁ ବିଦାୟ ନେଇ  ଗୃହସ୍ଥାଶ୍ରମରେ ପ୍ରବେଶ କରିବାର ଉପକ୍ରମ ଅଟେ। ବେଦ ପୁରାଣ ଏବଂ ବିଭିନ୍ନ ବିଷୟରେ ପାରଙ୍ଗମ ହୋଇସାରିବା ପରେ ବ୍ରହ୍ମଚାରୀ ର ସମାବର୍ତ୍ତନ ସଂସ୍କାର ପୂର୍ବରୁ କେଶ ମୁଣ୍ଡନ କରାଯାଉଥିଲା ତଥା ବ୍ରହ୍ମଚାରୀ କୁ ସ୍ନାନ କରାଇ ସ୍ନାତକ ଉପାଧି ଦିଆଯାଉଥିଲା। କେଶାନ୍ତ ସଂସ୍କାର ଶୁଭ ମୂହୁର୍ତ୍ତ ଦେଖି କରାଯାଉଥିଲା। 

୧୪- ସମାବର୍ତନ 

      ଗୁରୁକୁଳରୁ ବିଦାୟ ନେବା ପୂର୍ବରୁ ଶିଷ୍ୟର ସମାବର୍ତ୍ତନ ସଂସ୍କାର କରାଯାଉଥିଲା। ଏହି ସଂସ୍କାର ପୂର୍ବରୁ ବ୍ରହ୍ମଚାରୀ ର କେଶାନ୍ତ ସଂସ୍କାର ହେଉଥିଲା ଏବଂ ତାକୁ ସ୍ନାନ କରାଯାଉଥିଲା ଏହି ସ୍ନାନ ସମାବର୍ତ୍ତନ ସଂସ୍କାର ଅନୁସାରେ କରାଯାଉଥିଲା। ଏଥିରେ ସୁଗନ୍ଧଯୁକ୍ତ ପଦାର୍ଥ ଏବଂ ଔଷଧ ଆଦି ଯୁକ୍ତ ପାଣି ରେ ପୂର୍ଣ୍ଣ ବେଦୀର ଉତ୍ତର ଭାଗରେ ଆଠଗୋଟି କଳସୀର ପାଣିରେ ସ୍ନାନ କରିବାର ବିଧାନ ରହିଛି। ଏହି ସ୍ନାନ ବିଶେଷ ମନ୍ତ୍ରୋଚ୍ଚାରଣ ସହିତ କରାଯାଉଥିଲା। ଏହା ପରେ ବ୍ରହ୍ମଚାରୀ ମେଖଳା ଏବଂ ଦଣ୍ଡ ଛାଡ଼ି ଦେଉଥିଲେ ଯାହାକି ଯଜ୍ଞୋପବୀତ ସଂସ୍କାର ସମୟରେ ଧାରଣ କରିବାକୁ ଦିଆଯାଉଥିଲା। ଏହି ସଂସ୍କାର ପରେ ଆଚାର୍ଯ୍ୟ ବ୍ରହ୍ମଚାରୀ କୁ ବିଦ୍ୟା ସ୍ନାତକ ଉପାଧି ଦେଉଥିଲେ। ଏହି ଉପାଧି ଗ୍ରହଣ କରିବା ପରେ ସେମାନଙ୍କ ସଗର୍ବରେ ଗୃହସ୍ଥାଶ୍ରମକୁ ପ୍ରବେଶ କରିବା ପାଇଁ ଅଧିକାରୀ ହେଉଥିଲେ। ସୁନ୍ଦର ବସ୍ତ୍ର ଏବଂ ଅଳଂକାର ଧାରଣ କରି ଆଚାର୍ଯ୍ୟ ଏବଂ ଗୁରୁଜନ ମାନଙ୍କର ଆଶିର୍ବାଦ ଗ୍ରହଣ କରି ନିଜର ଗୃହକୁ ପ୍ରତ୍ୟାବର୍ତନ କରୁଥିଲେ।

୧୫- ବିବାହ 

       ପ୍ରାଚୀନ କାଳରୁ ସ୍ତ୍ରୀ ତଥା ପୁରୁଷ ମାନଙ୍କ ପାଇଁ ଏହା ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ସଂସ୍କାର ଅଟେ।ଯଜ୍ଞୋପବୀତ ଠାରୁ ସମାବର୍ତ୍ତନ ସଂସ୍କାର ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଆମ ଶାସ୍ତ୍ରରେ ବିଧାନ ରହିଛି। ବେଦାଧ୍ୟୟନ ପରେ ଯେତେବେଳେ ଯୁବକ ଠାରେ ସାମାଜିକ ପରମ୍ପରା ନିର୍ବାହ କରିବା କ୍ଷମତା ଏବଂ ପରିପକ୍ୱତା ଦେଖାଯାଉଥିଲା ସେତେବେଳେ ସେମାନଙ୍କୁ ଗୃହସ୍ଥାଶ୍ରମ ରେ ପ୍ରବେଶ କରାଯାଉଥିଲା। ପ୍ରାୟ ପଚିଶ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ପରେ ଯୁବକକୁ ପରିଣୟ ସୂତ୍ରରେ ଆବଦ୍ଧ କରାଯାଉଥିଲା। 

            ଆମ ଶାସ୍ତ୍ରରେ ଆଠ ପ୍ରକାରର ବିବାହର ଉଲ୍ଲେଖ ରହିଛି- ଵ୍ରାହ୍ମ, ଦୈବ, ଆର୍ଷ, ପ୍ରଜାପତ୍ୟ,ଆସୁର, ଗନ୍ଧର୍ବ, ରାକ୍ଷସ ଏବଂ ପୈଶାଚ। ବୈଦିକ କାଳରେ ଏହି ସମସ୍ତ ପ୍ରଥା ପ୍ରଚଳିତ ଥିଲା। ସମୟ ଅନୁସାରେ ଏହାର ସ୍ୱରୂପ ପରିବର୍ତ୍ତନ ହେବାକୁ ଲାଗିଲା। ବୈଦିକ କାଳ ପୂର୍ବରୁ ଯେତେବେଳେ ଆମ ସମାଜ ସଂଗଠିତ ହୋଇ ନଥିଲା ସେହି ସମୟରେ ଉଚ୍ଛୃଙ୍ଖଳ ଯୌନାଚାର ହେଉଥିଲା। ମୁନି ଋଷି ମାନେ ଏହି ଉଚ୍ଛୃଙ୍ଖଳତା କୁ ସମାପ୍ତ କରିବା ପାଇଁ ବିବାହ ସଂସ୍କାରର ସ୍ଥାପନା କରି ସମାଜକୁ ସଙ୍ଗଠିତ ଏବଂ ନିୟମବଦ୍ଧ କରିବାକୁ ପ୍ରୟାସ କରିଥିଲେ।  ସେମାନଙ୍କ ପ୍ରୟାସର ପରିଣାମ ସ୍ଵରୂପ ଆଜି ଆମ ସମାଜ ସଭ୍ୟ ଏବଂ ସୁସଂସ୍କୃତ ହୋଇପାରିଛି।

୧୬ -ଅନ୍ତ୍ୟେଷ୍ଟି

       ଅନ୍ତ୍ୟେଷ୍ଟି କୁ ଅନ୍ତିମ ଅଥବା ଅଗ୍ନି ପରିଗ୍ରହ ସଂସ୍କାର ମଧ୍ୟ କୁହାଯାଏ। ଆତ୍ମାରେ ଅଗ୍ନିର ଆଧାନ କରିବା ହେଉଛି ଅଗ୍ନି ପରିଗ୍ରହ। ଧର୍ମ ଶାସ୍ତ୍ରର ମାନ୍ୟତା ଅନୁସାରେ ମୃତ ଶରୀରକୁ ବିଧି ଅନୁସାରେ କ୍ରିୟା କଲେ ଜୀବର ଅତୃପ୍ତ ବାସନା ଗୁଡିକ ଶାନ୍ତି ହୋଇଯାଏ।ଆମ ଶାସ୍ତ୍ରରେ ଅତି ସହଜ ଭାବରେ ଈହଲୋକ ଏବଂ ପରଲୋକର ପରିକଳ୍ପନା କରାଯାଇଛି। ଯେତେଦିନ ଯାଏଁ ଜୀବ ଶରୀର ଧାରଣ କରି ଈହଲୋକରେ ନିବାସ କରିଥାଏ ସେତେଦିନ ପର୍ଯ୍ୟନ୍ତ ସେ ବିଭିନ୍ନ କର୍ମ ବନ୍ଧନରେ ବାନ୍ଧି ହୋଇ ରହିଥାଏ। ପ୍ରାଣ ଚାଲିଗଲା ପରେ ସେ ଈହଲୋକକୁ ପରିତ୍ୟାଗ କରିଥାଏ। ଏହା ପରେ ବିଭିନ୍ନ ଲୋକର ଏବଂ ମୋକ୍ଷ ତଥା ନିର୍ବାଣ ପ୍ରାପ୍ତି ର ପରିକଳ୍ପନା କରାଯାଇଛି। ମନୁଷ୍ୟ ନିଜର କର୍ମ ଅନୁସାରେ ଫଳ ଭୋଗ କରିଥାଏ। ଏହି ପରିକଳ୍ପନା ର ନିୟମ ଅନୁସାରେ ମୃତ ଶରୀରର ବିଧି ଅନୁସାରେ କ୍ରିୟା କରାଯାଇଥାଏ।
ଏହିପରି ସଂସ୍କାର ସମ୍ପର୍କିତ ଅନେକ ତଥ୍ଯ ଶାସ୍ତ୍ର ମାନଙ୍କରେ ଉଲ୍ଲେଖ କରାଯାଇଅଛି । ସଂକ୍ଷିପ୍ତ ଓ ସରଳ ଭାବରେ ଯଥାମତି ସୂଚିତ କରାଗଲା ।

      
     ଅଧ୍ୟାପକ ବିଜୟାନନ୍ଦ ଶତପଥି , ନୟାଗଡ଼ ।


Post a Comment

Please Select Embedded Mode To Show The Comment System.*

Previous Post Next Post