ମୁକ୍ତି ସଂଗ୍ରାମ ର ଇତିହାସରେ ନୟାଗଡ଼ ଓ ଆଦିବାସୀ ମୁକ୍ତିଯୋଦ୍ଧା ଅମର ଶହୀଦ କଷ୍ଟି ଡାକୁଆ

ମୁକ୍ତି ସଂଗ୍ରାମ ର ଇତିହାସରେ ନୟାଗଡ଼ ଓ ଆଦିବାସୀ ମୁକ୍ତିଯୋଦ୍ଧା ଅମର ଶହୀଦ କଷ୍ଟି ଡାକୁଆ 



 (ଅକ୍ଟୋବର ୧୦ ବଳିଦାନ ଦିବସ )


୧୯୨୧ ମସିହାରେ କଂଗ୍ରେସ ଅସହଯୋଗ ଆନ୍ଦୋଳନ ରେ ବହୁକର୍ମୀ ଯୋଗଦେଇ ନୟାଗଡ଼କୁ ରାଜନୈତିକ ମାନଚିତ୍ରରେ ସ୍ଥାନ ଦେଇଥିଲେ । ୧୯୩୮ ଖ୍ରୀଷ୍ଟାବ୍ଦରେ ସମାଜବାଦୀ ନେତାମାନଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନ ତୀବ୍ରତର ହେଲା । ଗାନ୍ଧିଜୀଙ୍କ "କର ବା ମର" ଆହ୍ଵାନ ଓ  ୧୯୪୨ ର ଭାରତଛାଡ଼ ଆନ୍ଦୋଳନ ହିଁ ନିର୍ଣ୍ଣାୟକ ଭୂମିକା ନେବା ପାଇଁ ବ୍ରିଟିଶ୍ ସରକାର କୁ ବାଧ୍ୟ କରିଥିଲା। ଅନୁରୂପ ଭାବେ ଏହି ମୁକ୍ତି ସଂଗ୍ରାମ ରେ ଓଡ଼ିଶାର ଗଡ଼ଜାତ ରାଜ୍ୟ ବିଶେଷ କରି ଢେଙ୍କାନାଳ, ଅନୁଗୋଳ, ତାଳଚେର, ନୟାଗଡ଼ରେ ପ୍ରଜାମଣ୍ଡଳ ଆନ୍ଦୋଳନ ଇତିହାସ ପୃଷ୍ଠା ରେ କ୍ରୋଡ ମଣ୍ଡନ କରିଛି। ରାଜାମାନଙ୍କ ଅତ୍ୟାଚାରରୁ ସ୍ଵାଧୀନ ହେବାକୁ ଏ ପ୍ରଜାମାନଙ୍କ ଆନ୍ଦୋଳନ ସଂଗଠିତ ହୋଇଥିଲା।ମାତୃଭୂମିର ମୁକ୍ତି ସଂଗ୍ରାମ ପାଇଁ ଅନେକ ସଂଗ୍ରାମୀ ଶହୀଦ ହୋଇଛନ୍ତି। ନୟାଗଡ଼ ଇତିହାସ ରେ ଘଟିଯାଇଥିବା ଘଟଣା ବଳୀ ମଧ୍ୟରେ ୧୯୧୪ ମସିହାରେ ଦଶପଲ୍ଲାର କନ୍ଧ ମେଳି, ସଂଘଠିତ ରଣପୁର ବିଦ୍ରୋହ ରେ ଶହୀଦ ଅର୍ଜୁନ ରାଉତ ଙ୍କ ନେତୃତ୍ୱ ରେ ୧୯୩୯ ମସିହା ଜାନୁଆରି ୫ରେ ପଲଟିକାଲ ଏଜେଣ୍ଟ ମେଜର ବେଜେଲଗେଟକୁ ଶାଳିମ୍ବ ବାଉଁଶରେ ପିଟି ପିଟି ହତ୍ୟା, ୧୯୪୨ ମସିହା ଅକ୍ଟୋବର ୯ ରେ ବରକୋଳା ବଙ୍ଗଳା ପୋଡ଼ି ଓ ୧୦ ରେ ନୂଆଗାଁ ଗୁଳିକାଣ୍ଡ, ସାରା ଓଡିଶାର ଛାତି ଥରେଇ ଦେଇଥିଲା। 

ଘଟଣା କ୍ରମ -

ମୁକ୍ତି ସଂଗ୍ରାମର ଯୂପକାଠରେ ୧୯୪୧ରେ ରଣପୁର ବିଦ୍ରୋହ ଫଳରେ ରଘୁ ମହାନ୍ତି, ଦିବାକର ପରିଡ଼ା ଭାଗଲ ପୁର ଜେଲରେ ଫାଶୀ ପାଇଥିବା ବେଳେ ୧୯୪୨ ମସିହା ଅକ୍ଟୋବର ୧୦ ତାରିଖରେ ପୋଲିସ୍ ଗୁଳିରେ ନିହତ ହୋଇଥିଲେ ନିପଟ ଜଙ୍ଗଲିଆ ଆଦିବାସୀ ଅମର ଶହୀଦ କଷ୍ଟି ଡାକୁଆ।

ନୟାଗଡ ରାଜ୍ୟର ପ୍ରଜାମଣ୍ଡଳ ଆନ୍ଦୋଳନକୁ ନେତୃତ୍ୱ ଦେଉଥିବା ଗୋଡ଼ିପଡ଼ାର ଶ୍ରୀଧର ଦାଶ, ବାହାଡ଼ାଝୋଲା ର ବାଞ୍ଛାନିଧି ସେନାପତି, ଓଡ଼ଗାଁର ଲକ୍ଷ୍ମଣନନ୍ଦ, ଭାଲିଆ ଡିହର ମୁଲା, ଗୋପପୁର ଗ୍ରାମର ନାରାୟଣ ବେହେରା, ବାଞ୍ଛାନିଧି ସେନାପତି, ନାରାୟଣ ନନ୍ଦ, ଶୁକ୍ର ବେହେରା, ଲକ୍ଷ୍ମଣ ମହାରଣା, କୁବେର ସାହୁ, ଉଦୟନାଥ ପୃଷ୍ଟି ଇତ୍ୟାଦିଙ୍କୁ ଦେଶଦ୍ରୋହ ଆଇନ୍ ବଳରେ କାରାବାସ କରାଗଲା। ଫଳରେ ନୟାଗଡ଼ରେ ଘୋର ଉତ୍ତେଜନା ପ୍ରକାଶ ପାଇଲା। ପ୍ରଜାମଣ୍ଡଳର ନେତାମାନଙ୍କୁ ମୁକ୍ତ କରିବା ପାଇଁ ସର୍ବଶ୍ରୀ ଆନନ୍ଦଚନ୍ଦ୍ର ସ୍ବାଇଁ, ନାରାୟଣ ଉପାଧ୍ୟାୟ, ସଦାଶିବ ଷଡଙ୍ଗୀ, ପୂର୍ଣ୍ଣଚନ୍ଦ୍ର ମଲିକ ପ୍ରମୁଖଙ୍କ ନେତୃତ୍ୱ ରେ ପ୍ରଜା ଜାଗରଣ କାର୍ଯ୍ୟ ଚାଲିଲା । 

୧୯୪୨ ମସିହା ଜୁଲାଇ ୧୩ ତାରିଖରେ ନନ୍ଦିଘୋର ଠାରେ ପ୍ରଜା ମଣ୍ଡଳ ବୈଠକରେ ଆନ୍ଦୋଳନର ସୂତ୍ରପାତ ହୋଇଥିଲା। କୌଣସି ମତେ ଖବର ପାଇ ଇଂରେଜ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଫୋୖଜ ଆନ୍ଦୋଳନ ର ପ୍ରମୁଖ କର୍ମୀ ଓ ସତ୍ୟାଗ୍ରହୀମାନଙ୍କୁ ଘଉଡା଼ଇବା ପାଇଁ ନିର୍ମମ ଲାଠି ପ୍ରହାର କରିବା ସହ ବନ୍ଧୁକ ମୁନରେ କ୍ଷତବିକ୍ଷତ କରିଥିଲେ। କର୍ମୀମାନେ ଅଧିକ ଉତକ୍ଷିପ୍ତ ହୋଇ ମୁକ୍ତି ଆନ୍ଦୋଳନକୁ ଉଗ୍ର ରୂପ ଦେଇଥିଲେ।

୧୯୪୨ ମସିହା ଅଗଷ୍ଟ ୧୭ ତାରିଖରେ ଶ୍ରୀଧର ଦାସ ଓ ରାମଚନ୍ଦ୍ର ମହାନ୍ତି ଙ୍କ ନେତୃତ୍ଵ ରେ ଓଡ଼ଗାଁ ର ସୁଧଖୋରି ଶୋଷକ ମହାଜନ ଭଗବାନ ଦେହୁରୀ ଙ୍କ ଘର ଉପରେ ପ୍ରଜାମଣ୍ଡଳ ସଂଗ୍ରାମୀମାନେ ଆକ୍ରମଣ କରିବା ଫଳରେ
ତିନି ଶହ ଶିଖସୈନ୍ୟ ସହ ସ୍ଥାନୀୟ ପୋଲିସ ସମେତ ଚୌକିଦାର ନୟାଗଡ଼ ରାଜ୍ୟର ଓଡ଼ଗାଁ ଠାରେ ପହଞ୍ଚି ନେତୃତ୍ୱ ନେଉଥିବା କର୍ମୀମାନଙ୍କ ଘରେ ଲୁଟ୍ ପାଟ୍ କରିବା ସହ ମହିଳାମାନଙ୍କୁ ଆସୌଜନ୍ୟ ବ୍ଯବହାର ଓ ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ଯୋଗୁଁ ଆନ୍ଦୋଳନ କୁ ତୀବ୍ର ଆଉ ଉଗ୍ର ରୂପ ଦେବାକୁ ବାଧ୍ୟ କରିଥିଲା।

୧୯୪୨ ମସିହା ସେପ୍ଟେମ୍ବର ୧୯ ରିଖ ଦିନ ଶତାଧିକ ପ୍ରଜା ଗଂଜାମ ଜିଲ୍ଲାର କୁମ୍ଫାପଡ଼ାରେ ଏକ ସଭା କରି ପ୍ରଜାମଣ୍ଡଳ ନେତାମାନଙ୍କୁ ମୁକୁଳେଇବା ପାଇଁ ଶପଥ ନେଲେ।

ଅକ୍ଟୋବର ୮ ତାରିଖ ଦିନ ବାହାଡାଝୋଲା ନିକଟବର୍ତ୍ତୀ ମାଳ ଅଞ୍ଚଳର ମଧୁଆଖଳି ପଡ଼ିଆରେ ଶତାଧିକ କର୍ମୀ ଓ ଜନସାଧାରଣଙ୍କୁ ଏକତ୍ରିତ ହୋଇ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏହି ସମାବେଶରେ ଅନ୍ୟମାନଙ୍କ ବ୍ୟତୀତ ଆଦିବାସୀ ସଂପ୍ରଦାୟର ଉଦ୍ଦାମ ଯୁବକ କଷ୍ଟି ଡାକୁଆ ଉପସ୍ଥିତ ଥିଲେ। ସଭାରେ କଷ୍ଟି ଡାକୁଆଙ୍କ କୁଇ ଭାଷାରେ ପ୍ରେରଣାଦାୟକ ଭାଷଣ ଉପସ୍ଥିତ ଜନତା, ବିଶେଷତଃ ଆଦିବାସୀ ଭାଇଭଉଣୀଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା। ଅନୁରୂପ ଭାବେ ଅନେକ ପ୍ରଜାମଣ୍ଡଳ କର୍ମୀ ନେତା, ଜନତା ନୟାଗଡ଼ର ଗୋଡ଼ିପଡ଼ା ଥାନା ଅନ୍ତର୍ଗତ ମହୁଲିଆଠାରେ ଏକତ୍ରିତ ହୋଇ ବିଚାରାଳୟ, ଥାନା ଓ ଅନ୍ୟାନ୍ୟ ସରକାରୀ ଦପ୍ତର ଓ ରାଜାଙ୍କ ବିଚାର ବିଭାଗକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଶପଥ ନେଲେ । ଦୁଇଟି ଦଳରେ ବିଭକ୍ତ ହୋଇ ମାଳ ଅଞ୍ଚଳରୁ ବାହାରିବା ପ୍ରସ୍ତାବ ନିଆଗଲା। 

ଆନନ୍ଦ ଚନ୍ଦ୍ର ସ୍ବାଇଁ ବରକୋଳା ମାଳ ଅଞ୍ଚଳର ଓ ସଦାଶିବ ଷଡଙ୍ଗୀ ଗୋଛାମାଳ ଅଞ୍ଚଳର ଦାୟିତ୍ଵରେ ରହିଲେ । ଗୋଟିଏ ଦଳ ସଡ଼କ ଦେଇ ନୂଆଗାଁ ବାଟେ ନୟାଗଡ଼ ଯିବ ଓ ଅନ୍ୟଟି ମାଳଅଞ୍ଚଳରୁ ବାହାରି ବାହାଡ଼ାଝୋଲା ଦେଇ ମହିପୁର ବାଟେ ନୟାଗଡ଼ରେ ପହଞ୍ଚିବେ । ଓସ୍ତିଆ ମାଳ ଅଞ୍ଚଳ ଜନସାଧାରଣଙ୍କୁ ଏକତ୍ରିତ କରି ନୟାଗଡ଼ ଠାରେ ସମବେତ ହେବା ପାଇଁ ମଧ୍ୟ ପ୍ରସ୍ତାବ ନିଆଗଲା। କ୍ରମେ ପ୍ରଜା ମଣ୍ଡଳ କାର୍ଯ୍ୟ ଓଡ଼ଗାଁ, ବାହାଡ଼ାଝୋଲା, ବାରାବୋଲା ଗ୍ରାମମାନଙ୍କୁ ବ୍ୟାପିଗଲା । ବରବୋଇମାଳ ଅଞ୍ଚଳ ସଭାରେ ନୂଆଗାଁ ଦଳକୁ କଷ୍ଟି ଡାକୁଆଙ୍କୁ ନେତୃତ୍ୱ ଦେବା ନିମନ୍ତେ  ନିଷ୍ପତ୍ତି ହେଲା । 

ଯୋଜନା ମୁତାବକ ଆନନ୍ଦଚନ୍ଦ୍ର ସ୍ଵାଇଁଙ୍କ ନେତୃତ୍ଵରେ ଆସିଥିବା ପ୍ରଜାମଣ୍ଡଳ କର୍ମୀଙ୍କ ସହ ସ୍ଥାନୀୟ କର୍ମୀମାନେ କଷ୍ଟି ଡାକୁଆଙ୍କ ଘରେ ପହଁଚି କୁଶିବିଡ଼ା ଗ୍ରାମରେ ବରକୋଳା ମାଳ ଅଞ୍ଚଳର ବିପ୍ଳବୀ ଜନତାଙ୍କୁ ନେଇ ସଭା ଆୟୋଜନ କରି ଯୋଜନା ପ୍ରସ୍ତୁତି କଲେ । ପରଦିନ ଅଞ୍ଚଳର ବିପ୍ଳବୀ ଜନତାଙ୍କୁ ଦୁଇ ଭାଗ କରାଯାଇ ଗୋଟିଏ ଦଳର ନେତୃତ୍ଵ ନେଲେ ଆନନ୍ଦଚନ୍ଦ୍ର ସ୍ଵାଇଁ, କଣ୍ଡୁରୀ ପରିଡ଼ା, ବୁଦ୍ଧି ପରିଡ଼ା, ଏବଂ ଅନ୍ୟଟିର ନେତୃତ୍ଵ ନେଲେ କଷ୍ଟି ଡାକୁଆ, ମଙ୍ଗୁ, କ୍ଷେତ୍ରବାସୀ ପରିଡ଼ା, ଦୟା ବେହେରା ଓ ବାଉରୀବନ୍ଧୁ ପରିଡ଼ା । ଉଦ୍ଦେଶ୍ୟ ଥିଲା ନୂଆଗାଁ ଥାନାକୁ ଭାଙ୍ଗି, ସରକାରୀ କୋଠାବାଡ଼ି ଧ୍ଵଂସ କରିବା ଓ ଏ ଅଞ୍ଚଳରୁ ରାଜତନ୍ତ୍ର ଲୋପ କରିବା । 

ସେଦିନ ଥିଲା ଆଶ୍ଵିନ ଅମାବାସ୍ୟାର ଘନକୃଷ୍ଣ ରାତ୍ରି ।ନିଷ୍ପତ୍ତି କ୍ରମେ ୯ ତାରିଖ ରାତିରେ ଆନନ୍ଦ ସ୍ଵାଇଁଙ୍କ ଦଳ ପ୍ରଥମେ ମାଳ ଅଞ୍ଚଳ ବରକୋଳା ଡାକବଙ୍ଗଳାରେ ପହଞ୍ଚିଲେ । ଡାକବଙ୍ଗଳା କର୍ମଚାରୀ ଓ ୭/୮ ଜଣ ପୋଲିସ ଏମାନଙ୍କ ଡାକ ଶୁଣି ନିଜର ବନ୍ଧୁକ, ଗୁଳିଗୋଳା ଛାଡ଼ି ଜଙ୍ଗଲକୁ ଦୌଡ଼ି ପଳାଇଗଲେ । ପରେ ବଙ୍ଗଳାରେ ବିପ୍ଳବୀମାନେ ନିଆଁ ଲଗାଇ ଦେଲେ । ଅନ୍ୟ ଦଳକୁ ଧରି  ଅନେକ ଆଦିବାସୀ ଓ କନ୍ଧ ସଂପ୍ରଦାୟର ଲୋକ ଏକ ପଟୁଆରରେ ଯୋଗଦେଲେ ବିପ୍ଳବୀ କଷ୍ଟି ଡାକୁଆ । ସେ ହାତରେ ପତାକା ଧରି ଲୋକଙ୍କୁ ଉତ୍ସାହିତ କରୁଥାନ୍ତି ।

ତାପରେ ବୀର ବାଦ୍ୟ ପଟୁଆର ସହ ନୂଆଗାଁ ଅଭିମୁଖେ ଯାତ୍ରା ଆରମ୍ଭ ହେଲା। ଘନ କୁହୁଡି ଯୋଗୁଁ ଝାପସା ଦେଖା ଯାଉଥାଏ। ପ୍ରାୟ ସକାଳ ୭ଟା ବେଳେ ନୂଆଗାଁ ଥାନା ସମ୍ମୁଖରେ ପହଞ୍ଚିଥିଲେ। ନୂଆଗାଁ ଥାନାକୁ ଭାଙ୍ଗି ଦେଇ ବ୍ରିଟିଶ୍ ପତାକା ପରିବର୍ତ୍ତେ କଂଗ୍ରେସ ପତାକା ଲଗେଇବା ଥିଲା ଉଦ୍ଦେଶ୍ୟ। ଅପରପକ୍ଷରୁ ଶିଖି ମନାଇଙ୍କ ସହ ପୋଲିସ ବାହିନୀ ପହଞ୍ଚିଥାନ୍ତି। ଥାନା ପାଖରେ ପହଞ୍ଚିଲା ପରେ ଥାନାର ଭାରପ୍ରାପ୍ତ ସବ୍-ଇନିସ୍‌ପେକ୍ଟର ବେଣୁଧର ପଟ୍ଟନାୟକ ଶୋଭାଯାତ୍ରାର ଜୟଧ୍ଵନି ଶୁଣି ମୁକ୍ତି ସଂଗ୍ରାମୀ ଜନତାଙ୍କୁ କୌଣସି ସଙ୍କେତ ନଦେଇ ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କଲେ । ସଂଗ୍ରାମୀମାନେ ଏଥିରେ ଅଧିକ ଉତକ୍ଷିପ୍ତ ହୋଇ ଆହୁରି ଆଗକୁ ମାଡ଼ି ଚାଲିଲେ । କଷ୍ଟି ଡାକୁଆ ଥାନା ଉପରେ ଚଢ଼ି କଂଗ୍ରେସ ପତାକା ଥାପିବାକୁ ଯାଉଥିବା (ମତାନ୍ତରେ ଚଢ଼ିଥିବା ବେଳେ) ସମୟରେ ହୃଦୟ ହୀନ ଲିଙ୍ଗା ନାୟକ କଷ୍ଟି ଡାକୁଆଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଗୁଳି କଷ୍ଟି ଡାକୁଆଙ୍କ ପେଟରେ ବାଜିଲା ଓ ଅନ୍ତବୁଜୁଳି ବାହାରି ଆସିଲା । ସେଇଠି ସେ ଅଚେତ ହୋଇ ପଡ଼ିଯାଇ ଥିଲେ । ହାତଯୋଡ଼ି ପାଣି ପାଣି ବୋଲି ଚିତ୍କାର କରୁଥିଲେ ମଧ୍ୟ କେହି ମୁନ୍ଦାଏ ପାଣି ଦେଲେ ନାହିଁ । କଷ୍ଟି ଡାକୁଆ ପେଟରେ ହାତ ରଖି ଉଚ୍ଚ କଣ୍ଠରେ କହି ଉଠିଲେ – "ଭାରତ ମାତା କି ଜୟ, ମହାତ୍ମା ଗାନ୍ଧୀ କି ଜୟ"। ତା’ପରେ ତାଙ୍କର ପ୍ରାଣବାୟୁ ଉଡିଗଲା । ଗୋଲାମ କନେଷ୍ଟବଳମାନେ ତାଙ୍କର ଶବକୁ ନେଇ ନିକଟସ୍ଥ ଏକ କାଞ୍ଜିଆହୁଦା (ଲୋକମତ ଅନୁସାରେ କାଞ୍ଜିଆ ପାହାଡ଼) ରେ ଫିଙ୍ଗିଦେଲେ । ଭୟରେ ତାର ଶବ କୁ କେହି ନେଇ ନ ଥିଲେ, ଫଳରେ ସେହିଠାରେ ଶବଟି ପଡ଼ି ପଡ଼ି କ୍ଷୟ ହୋଇଥିଲା। ଅନେକ ଦିନ ଧରି ଖପୁରୀ ପଡ଼ି ରହିଥିବା ଲୋକମାନେ କୁହନ୍ତି।

ଏହି ଗୁଳିକାଣ୍ଡ ଘଟଣା ରେ ଅନେକ ଆହତ ହେଲେ । ସଂଗ୍ରାମୀ ଦୟା ବେହେରା ଗିରଫ ହେଲେ। ଆହତ ଅବସ୍ଥା ରେ କ୍ଷେତ୍ରବାସୀ ପରିଡ଼ା, ବାଉରୀବନ୍ଧୁ ପରିଡ଼ା ଓ ମଙ୍ଗୁ ପଳାଇବାରୁ ଅନ୍ୟ ପ୍ରଜାମାନେ ପଳାଇଗଲେ । 

ଏକଥା ଶୁଣି ରାଜା ବେଣୁଧର ପଟ୍ଟନାୟକ ଙ୍କୁ ବୀରବର ଉପାଧି  ଓ ଲିଙ୍ଗା ନାୟକଙ୍କୁ ଧପଡ଼ ସିଂହ ଉପାଧି ପ୍ରଦାନ କରିଥିଲେ।

ମାତ୍ର ତିରିଶ ବର୍ଷ ବୟସରେ ବିପ୍ଳବୀ କଷ୍ଟି ଡାକୁଆ ୧୯୪୨ ମସିହା ଅକ୍ଟୋବର ୧୦ ତାରିଖରେ ଦେଶ ପାଇଁ ପ୍ରାଣବଳି ଦେଇ ନୟାଗଡ଼ ଇତିହାସରେ ଏକ ଜ୍ବଳନ୍ତ ତାରକା ଓ ଅମର ହୋଇ ରହିଛନ୍ତି । 

ଅନ୍ୟ ଏକ ସଂଗ୍ରାମୀ ହେଉଛନ୍ତି ପାରାଢିପି ପଂଚାୟତ ଅନ୍ତର୍ଗତ ଥୁଆବାଡି଼ ଗାଁର କଣ୍ଡୁରୀ ପରିଡ଼ା ଓ ତାଙ୍କ ପୁଅ ବୁଦ୍ଧି ପରିଡ଼ା । ଅଶୀ ବର୍ଷ ବୟସରେ ବାହାଡ଼ାଝୋଲା ସଂଘର୍ଷରେ ଆହତ ହେବା ପରେ ତାଙ୍କୁ ନୟାଗଡ଼ ଜେଲ ରେ ରଖାଯାଇଥିଲା। ବୟସ୍କ ହେଲେ ମଧ୍ୟ ଇଂରେଜ ସରକାରଙ୍କ ଗୋଲାମ କନେଷ୍ଟବଳମାନେ ଯାବତୀୟ ଅତ୍ୟାଚାର କରୁଥିଲେ । ଅତ୍ୟାଚାର ଏଭଳି କଷ୍ଟପ୍ରଦ ଥିଲା ଯେ, ଜେଲରେ ହିଁ ସଂଗ୍ରାମୀ ଓଡ଼ିଆ ବୀର କଣ୍ଡୁରୀ ପରିଡ଼ା ପ୍ରଥମେ ଆଖି ବୁଜିଲେ ଓ ପରେ ବୁଦ୍ଧି ପରିଡା। ତାଙ୍କର ଶେଷ କଥା ଥିଲା, “ମୋ ପାଇଁ କେହି ଦୁଃଖ କରିବ ନାହିଁ। ମାତ୍ର ମୋର ଏତିକି ଅବଶୋଷ ଯେ , ମୁଁ ସ୍ଵରାଜ ଦେଖି ପାରିଲି ନାହିଁ । ମୋର ଅନୁରୋଧ, ଆନ୍ଦୋଳନରୁ ଟିକିଏ ହେଲେ କେହି ପଛଘୁଞ୍ଚା ଦେବ ନାହିଁ"। ସେମିତି ଦୟା ବେହେରା କାରାବାସ ରେ ଶ୍ୱାସ ରୁଦ୍ଧ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କଲେ।

ଶହୀଦ ଆଦିବାସୀ କଷ୍ଟି ଡାକୁଆଙ୍କ ସଂକ୍ଷିପ୍ତ ପରିଚୟ -


ନୂଆଗାଁ ଗୁଳିକାଣ୍ଡର ଅମର ଶହୀଦ କଷ୍ଟି ଡାକୁଆଙ୍କ ଜନମ ଗାଁ ହେଉଛି କୁଶିବିଡା। ଏହି ଗ୍ରାମ ମହୀପୁର ଠାରୁ ୧୧ କିଲୋମିଟର ଦୂରରେ ନିଘଞ୍ଚ ଜଙ୍ଗଲ ମଧ୍ୟରେ ପାଲବା ପର୍ବତ ପାଦଦେଶରେ ଅବସ୍ଥିତ। ୧୮୯୭ ମସିହା ରେ ପିତା ଅର୍ଜୁନ ଡାକୁଆ ଓ ମାତା ନାରବା ଦେବୀ ଙ୍କ ଔରସ ରୁ ଦ୍ୱିତୀୟ ସନ୍ତାନ ଭାବେ କନ୍ଧ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଆଖ ପାଖ ଗାଁ ରେ ସ୍କୁଲ୍ ନଥିବାରୁ ପାଠ ପଢି଼ ପାରି ନଥିଲେ । କଷ୍ଟି ଡାକୁଆ ନୃପତି ନାମରେ ଏକ ଝିଅକୁ ବିବାହ କରିଥିଲେ । ତାଙ୍କର ସୁଦର୍ଶନ ଓ ସୁରେନ୍ଦ୍ର ନାମରେ ଦୁଇଟି ପୁଅ ଓ ସାବିତ୍ରୀ ବୋଲି ଗୋଟିଏ ଝିଅ ଥିଲେ । ଚାରି ଏକର ପାହାଡ଼ିଆ ଜମିରେ ଚାଷ, ମୂଲ ମଜୁରୀ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲେ ହେଁ ଜଣେ ସ୍ଵାଧିନଚେତା ମଣିଷଟିଏ ଥିଲେ।

ନୟାଗଡ଼, ନୂଆଗାଁ, ବାହାଡ଼ାଝୋଲା ଅଞ୍ଚଳରେ ଘଟିଥିବା ସ୍ଵାଧୀନତା ଆନ୍ଦୋଳନର କଥା ଓଡ଼ିଶାର ଇତିହାସରେ ପ୍ରାୟ ଚର୍ଚ୍ଚିତ ହୋଇ ନଥିବା  କହିଲେ ଚଳେ । ତେବେ ସେହି ବୀର ସଂଗ୍ରାମୀମାନଙ୍କୁ ମନେ ପକେଇ ସେହି ସଂଗ୍ରାମୀ ଙ୍କ ଉଦ୍ଦେଶ୍ୟରେ ଆଜିର ଅକ୍ଟୋବର ୧୦ କଷ୍ଟି ଡ଼ାକୁଆ ବଳିଦାନ ଦିବସରେ କୋଟି କୋଟି ପ୍ରଣାମ ।

(ଆଧାର: ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର    
             ସହିଦ - ଡଃ ଜଗନ୍ନାଥ ପଟ୍ଟନାୟକ। 
ବୈକୁଣ୍ଠନାଥ ମହାପାତ୍ର ପୁରୁଣା ଟାଉନ, ନୟାଗଡ଼ଙ୍କ ଲେଖା ଏବଂ ଲୋକଙ୍କ ମୁଖରୁ ସଂଗୃହିତ ତଥ୍ୟ।)

                       ପ୍ରଫୁଲ୍ଲ କୁମାର ମିଶ୍ର , ଦଶପଲ୍ଲା

Post a Comment

Please Select Embedded Mode To Show The Comment System.*

Previous Post Next Post