ଲଣ୍ଡା ହେବାକୁ ବସିଲାଣି ଦଶପଲ୍ଲା ର ବାଉଁଶ ବଣ !
* ଗହମ ନିଦରେ ବନବିଭାଗ
* ତଳିଆ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ
ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ଆମାଜନ୍ ଜଂଗଲ ଭାବରେ ଜଣାଶୁଣା , ଦଶପଲ୍ଲା ବିଭିନ୍ନ ଜଙ୍ଗଲରେ ଦେଖିବାକୁ ମିଳୁଛି ମାଫିଆ ରାଜ୍ । ଦିନକୁ ଦିନ ଲୋପ୍ ପାଉଛି ଜଂଗଲ ଓ ଜଂଗଲ ସଂପଦ । ବିଭିନ୍ନ ଜଙ୍ଗଲରୁ ମାଫିଆମାନେ ନିୟମିତ ଭାବରେ ମୂଲ୍ୟବାନ ଗଛ କାଟି ବାହାରକୁ ଚାଲାଣ କରୁଥିବା ବେଳେ ଏବେ କିଛି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି ବାଉଁଶ ଜଙ୍ଗଲ ଉପରେ ।କିଛି ମାସ ତଳେ ତେଣ୍ଡାବାଡ଼ି ପଞ୍ଚାୟତର ଚମ୍ପାଡାଳିଠାରେ ବେଆଇନ ବାଉଁଶ ଡିପୋ ଚାଲିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଟ୍ରିପ୍ ଟ୍ରିପ୍ ବାଉଁଶ ଜବତ ମଧ୍ୟ କରାଯାଇଥିଲା ।
ହେଲେ ଯଥାପୂର୍ବଂ ତଥାପରଂ ନ୍ୟାୟରେ ,ମାଫିଆମାନେ ସ୍ଥାନୀୟ ଅଞ୍ଚଳର କିଛି ରାଜନେତା ଓ ସ୍ଥାନୀୟ ବ୍ୟକ୍ତିଙ୍କୁ ହାତକରି ,ବାଉଁଶ କାଟୁଛନ୍ତି ଓ ଏହାକୁ ରାତିଅଧରେ ବାହାରକୁ ଚାଲାଣ ମଧ୍ୟ କରୁଛନ୍ତି । କିଛି ଅତି ଚାଲାଖ୍ ବାଉଁଶ ମାଫିଆ, ବାଉଁଶ ସଂଗ୍ରହ କରିବା ପରେ ସ୍ଥାନୀୟ ବାଉଁଶ କାରିଗରଙ୍କ ନିକଟରେ ଏହାକୁ ପହଞ୍ଚାଉଛନ୍ତି | ସେମାନଙ୍କ ଦ୍ବାରା ତାଟ ,ଗାଣ୍ଡୁଆ, ଡାଲା, ବୋଝ, ଚାଂଗୁଡି ଭଳି ବିଭିନ୍ନ ସରଞ୍ଜାମ ପ୍ରସ୍ତୁତ କରିବା ପରେ ରାଜ୍ୟର ବିଭିନ୍ନ ମେଳା ମଉଛବ ସମେତ ବାହାର ରାଜ୍ୟକୁ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ଲାଭ କରୁଥିବାର ଅଭିଯୋଗ ହେଉଛି । ଗୋଟିଏ ପାର୍ଶ୍ଵରେ ସରକାର ବାଉଁଶର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଆସୁଥିବା ବେଳେ ଦିନକୁ ଦିନ ଏହା ଧ୍ୱଂସ ହେବାରେ ଲାଗିଛି ।
ଏହି ବାଉଁଶ କାରବାର ପଛରେ ସ୍ଥାନୀୟ ବନ କର୍ମଚାରୀଙ୍କ ପ୍ରଛନ୍ନ ହାତଥିବା ମଧ୍ଯ ଅଭିଯୋଗ ହେଉଅଛି । ପ୍ରକାଶ ଥାଉକି, ସ୍ଥାନୀୟ ଲୋକ ଓ ମାଫିଆ ମାନକଂ ସଲାସୁତୁରା ଯୋଗୁଁ , ଟାକରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ, ଗମ୍ଭାରୀଗଣ୍ଡା ନିକଟସ୍ଥ ବାସୁକୀପଦର ବାଉଁଶ ଜଂଗଲ ଆଜି ସଂପୂର୍ଣ୍ଣ ଭାବରେ ପଦାହେବାକୁ ବସିଲାଣି । ଏଥି ସହିତ ଦଶପଲ୍ଲା ପଶ୍ଚିମାଞ୍ଚଳର ଟାକରା, ଜାମୁସାହି, କୁଲୁରୁକୁମ୍ପା, ବାଣୀଗୋଛା, ପୋଖରୀଗୋଛା ଅଂଚଳରୁ ନିୟମିତ ଷ୍ପଷ୍ଟ ଦିବାଲୋକରେ ,ବାଉଁଶ ଚାଲାଣ ହେଉଥିବାବେଳେ, ଏହା କିପରି ବନବିଭାଗ ନଜରରେ ପଡୁନାହିଁ ,ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।