ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ଯୋଜନା କାହାପାଇଁ?
ଓଡଗାଁ : 26/05/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ରାଜସ୍ବ ବିନିଯୋଗ କରି ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି | ଏହାର ଲକ୍ଷ ହେଉଛି ଗରିବ ଅସହାୟ ପରିବାରକୁ ମୁଖ୍ୟ ସ୍ରୋତକୁ ଆଣିବା | ଖାଦ୍ୟ ଅଧିକାର ଯୋଜନାରେ ପ୍ରତି ଯୋଗ୍ୟ ପରିବାରକୁ ମୁଣ୍ଡ ପିଛା 5କିଲୋ ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର | ଭତ୍ତା ଯୋଜନା ମାଧ୍ୟମରେ ଅନେକ ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି |
ହେଲେ ଆଜି ଆମେ ଏମିତି ଏକ ଦୃଶ୍ୟ ଦେଖାଇବୁ, ଯାହା ସରକାରଙ୍କ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି | କୃଷିମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି | ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ଗ୍ରାମପଂଚାୟତର ପନ୍ତିଖାରି ଶାସନ ଗ୍ରାମରେ | ରବିନ୍ଦ୍ର ସାହୁ, ପିତା : ବିଦେଶୀ ସାହୁ | ସେ ଜଣେ ଦିନ ମଜୁରିଆ | ମୁଲପାତି କରି ନିଜର 5ପ୍ରାଣୀ କୁଟୁମ୍ବକୁ ହସ ଖୁସିରେ ଚଳାଉଥିଲେ | ହେଲେ ଦୁଇ ବର୍ଷ ତଳେ ଗୋଟିଏ ଘର ତିଆରି କାମ କରୁଥିବାବେଳେ, ସେ ଛାତ ଉପରୁ ତଳେ ପଡିଗଲେ | ଧାର କରଜ କରି ଚିକିତ୍ସା କରାଇଲେ | କିନ୍ତୁ ଅକର୍ମଣ୍ୟ ହୋଇ ପଡ଼ି ରହିଲେ ଘରେ | ବାପାଙ୍କ ରୋଜଗାର ବନ୍ଦ ହୋଇଯିବାରୁ ଦୁଇ ପୁଅ ପାଠ ପଢା ଛାଡି ଦୋକାନରେ ଶ୍ରମିକ ଭାବେ କାମ କରୁଛନ୍ତି | ଏପଟେ ଅନ୍ୟ ଉପାୟ ନପାଇ ରବିନ୍ଦ୍ରଙ୍କ ସ୍ତ୍ରୀ ନିଜ ଘର ପିଣ୍ଡାରେ ବରା, ପକୁଡି ଛାଣି କିଛି ରୋଜଗାର କରୁଛନ୍ତି |
ହେଲେ ବଡ଼ ଦୁଃଖର କଥା, ଏପର୍ଯ୍ୟନ୍ତ ରବିନ୍ଦ୍ରଙ୍କୁ ମିଳିନି ଭିନ୍ନକ୍ଷମ ଭତ୍ତା କିମ୍ବା ଖାଦ୍ୟ ଯୋଜନାରେ ରାସନ କାର୍ଡ ଖଣ୍ଡେ | ପଞ୍ଚାୟତକୁ ଗଲେ ଉତ୍ତର ମିଳୁଛି "ତୁମର ବୟସ ହୋଇନି " ! ହେଲେ ଏଠାରେ ପ୍ରଶ୍ନ ଉଠେ ଜଣେ ଭିନ୍ନକ୍ଷମ ଅସହାୟ ବ୍ୟକ୍ତି ପାଇଁ କେତେ ବର୍ଷ ବୟସ ଆବଶ୍ୟକ |
ଏହି ବିଷୟରେ ଆମେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଯୋଗାଯୋଗ କରିଥିଲୁ | ସେ କହିଲେ ଯେହେତୁ ତାଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ ନାହିଁ, ସେଥିପାଇଁ ଭତ୍ତା ଯୋଜନାରେ ଯୋଗ କରାଯାଇପାରୁନାହିଁ | ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ସେ କହିଲେ " ତାଙ୍କୁ ଖାଦ୍ୟ ମିଳୁଛି କି ନାହିଁ ମୁଁ ଦେଖିବି ଏବଂ ଯଦି ତାଙ୍କର ନାମ ନଥିବ ତାହେଲେ ଯୋଗ କରିବାପାଇଁ ପଦକ୍ଷେପ ନେବେ | "