ଆକ୍ସନ ମୋଡ୍ ରେ କନ୍ଧମାଳ ପ୍ରଶାସନ
ବାଲିଗୁଡା/ ୨୬/୫: (ରିପୋର୍ଟ : ନିହାରକାନ୍ତ ମିଶ୍ର) : କନ୍ଧମାଳ ଜିଲ୍ଳାରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଛି । କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହେଉଛି । ଏଭଳି ସମୟରେ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ବି ଜାରି ରହିଛି ତେବେ ଦାରିଙ୍ଗବାଡ଼ିରେ ଅମାନିଆ ମାନୁନାହାଁନ୍ତି କଟକଣା । ଦାରିଙ୍ଗବାଡ଼ି ଥାନା ଓ ବ୍ରାହ୍ମଣୀଗାଁ ଥାନାର ବିଭିନ୍ନ ଗ୍ରାମାଞ୍ଚଳ ରେ ଲୋକେ କୋଭିଡ୍ କଟକଣାକୁ ନମାନି ଭୋଜିଭାତ ଆୟୋଜନ କରୁଛନ୍ତି । ପ୍ରଶାସନ ଖବର ପାଇ କିଛି ସ୍ଥାନରେ ଭୋଜି ବନ୍ଦ କରୁଥିବାବେଳେ ଆଉ କିଛି ସ୍ଥାନରେ ଭୋଜି ଶେଷ ମଧ୍ୟ ହୋଇଯାଉଛି । ଖବର ପାଇ ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ପ୍ରମୁଖ ମିଳିତ ଭାବେ ଚଢ଼ଉ କରି ସମସ୍ତ ଭୋଜି ବନ୍ଦ କରିବା ସହ ୭୦ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ଆଦାୟ କରିଛନ୍ତି ଏବଂ ରନ୍ଧାଖାଦ୍ୟକୁ ଲୋକମାନଙ୍କ ମଧ୍ୟ ବାଣ୍ଟି ଦିଆଯାଉଛି । ସୂଚନା ଅନୁସାରେ ଗତ୧୫ଦିନ ମଧ୍ୟରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳର କିଲାବାଡ଼ି ଗ୍ରାମରୁ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବାବେଳେ କଟାବାଡ଼ିରୁ ୧୦ହଜାର, କେର୍କେବାଡ଼ିରୁ ୧୦ହଜାର, ନିଳକନ୍ଦର ସାହିରୁ ୧୦ହଜାର, ଟକରମାଲାରୁ ୧୦ହଜାର, ବ୍ରାହ୍ମଣୀଗାଁ ରୁ ୬ହଜାର, ମାଣ୍ଡିପଙ୍କାରୁ ୩ହଜାର, ମେରାମାହା ଗ୍ରାମରୁ ୪ହଜାର ଟଙ୍କା ଆଦାୟ କରାଯାଇଛି । ଉକ୍ତ ଅଞ୍ଚଳରେ ବଡ ଧରଣ (୧ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ)ର ଭୋଜି ଆୟୋଜନ ହୋଇଥିଲା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ସମେତ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିକ ସବ-ଇନ୍ସପେକ୍ଟର ସୌମ୍ୟରଂଜନ ଜେନା, ସୌମ୍ୟକାନ୍ତ ପଣ୍ଡା, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା, ଦାରିଙ୍ଗବାଡ଼ି ରାଜସ୍ୱ ନିରୀକ୍ଷକ କେଦାର ପ୍ରସାଦ ସାହୁ, ସିମନବାଡ଼ି ରାଜସ୍ୱ ନିରୀକ୍ଷକ ବିଜୟ କୁମାର ବେହେରା ଓ ଅନ୍ୟ କର୍ମଚାରୀ ପ୍ରମୁଖ ବିଭିନ୍ନ ସ୍ଥାନରେ ହୋଇଥିବା ଭୋଜି ଚଢ଼ାଉରେ ସାମିଲ ହୋଇଥିଲେ ।